
By -SUBHASMITA Aug 31 2025
ଭୁବନେଶ୍ୱର:
ମାତ୍ର ୧୪ ମାସରେ ଲୋକଙ୍କ ଆଶା-ଆକାଙ୍କ୍ଷା ପୂରଣ କରି, ପ୍ରଶାସନରେ ସୁସାସନ ଓ ବିକାଶର ନୂଆ ମାନଦଣ୍ଡ ସୃଷ୍ଟି କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଜାତୀୟସ୍ତରରେ ପରିଚିତ ‘ଇଣ୍ଡିଆ ଟୁଡେ-ସିଭୋଟର’ ପକ୍ଷରୁ ପ୍ରକାଶିତ ‘ମୁଡ୍ ଅଫ ଦ ନେସନ’ ସର୍ଭେରେ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ତାଲିକାରେ ସେ ୮ମ ସ୍ଥାନରେ ଅଛନ୍ତି ।
ବିଶେଷ କଥା, ଏହି ତାଲିକାରେ ସେ ପଶ୍ଚିମବଙ୍ଗର ଅଭିଜ୍ଞ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପଛରେ ପକାଇବାରେ ସଫଳ ହୋଇଛନ୍ତି । ସର୍ଭେରେ ଓଡ଼ିଶାର ୩୪.୨% ଲୋକ ସ୍ୱୀକାର କରିଛନ୍ତି ଯେ ମୋହନ ମାଝୀଙ୍କ ନେତୃତ୍ୱରେ ସରକାର ଲୋକମୁଖୀ, ପ୍ରତିଶ୍ରୁତିବଦ୍ଧ ଓ ବିକାଶମୁଖୀ ହୋଇଛି ।
ସର୍ଭେ ଅନୁଯାୟୀ, ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ପ୍ରଥମ, ଛତିଶଗଡ଼ର ବିଷ୍ଣୁଦେଓ ସାଏ ଦ୍ୱିତୀୟ, ଝାଡ଼ଖଣ୍ଡର ହେମନ୍ତ ସୋରେନ୍ ତୃତୀୟ ଥିବାବେଳେ, ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ୫ମ ସ୍ଥାନରେ ରହିଛନ୍ତି । ମମତା ବାନାର୍ଜୀ ୯ମ ସ୍ଥାନରେ ଓ ପଞ୍ଜାବର ଭଗବନ୍ତ ସିଂହ ମାନ ୧୦ମ ସ୍ଥାନରେ ଅଛନ୍ତି ।
ବିଜେପି ସରକାର ଦ୍ୱାରା ଦିଆଯାଇଥିବା ପ୍ରତିଶ୍ରୁତିମାନଙ୍କୁ ଏକ ପରେ ଏକ କାର୍ଯ୍ୟକାରୀ କରି, ଚାଷୀଙ୍କୁ ଧାନ ଉପରେ ଅଧିକ ସହାୟତା, ସୁଭଦ୍ରା ଯୋଜନାରେ କୋଟିଏରୁ ଅଧିକ ମହିଳାଙ୍କୁ ଲାଭ ଏବଂ ବୃହତ୍ ‘ଉତ୍କର୍ଷ ଓଡ଼ିଶା-ମେକ ଇନ ଓଡ଼ିଶା’ କନକ୍ଲେଭରେ ୧୭ ଲକ୍ଷ କୋଟିରୁ ଅଧିକ ନିବେଶ ପ୍ରସ୍ତାବ ଆଣିବା—ଏହି ସବୁ କାର୍ଯ୍ୟରୁ ମୋହନ ମାଝୀଙ୍କୁ ଲୋକଙ୍କ ସ୍ୱୀକୃତି ମିଳିଛି ।
ଏହି ସର୍ଭେ ଫଳାଫଳ ପ୍ରମାଣ କରିଛି ଯେ, ୧୪ ମାସରେ ମୋହନ ମାଝୀ ନିଜକୁ “ଲୋକଙ୍କ ମୁଖ୍ୟମନ୍ତ୍ରୀ” ଭାବରେ ସ୍ଥାପିତ କରିଛନ୍ତି ।
Socialtalknews