ଭାରତର ଐତିହାସିକ ରେକର୍ଡ::

by_SUBHASMITA Dt- 12.1.2026
ଦିନିକିଆ କ୍ରିକେଟରେ ୨୦ଥର ୩୦୦ ପ୍ଲସ୍ ଟାର୍ଗେଟ ଚେଜ୍ କରି ବିଜୟ
ବିଶ୍ୱ କ୍ରିକେଟ ଇତିହାସରେ ଭାରତ ଆଉ ଏକ ସୁବର୍ଣ୍ଣ ଅଧ୍ୟାୟ ଯୋଡ଼ିଛି। ରବିବାର ନ୍ୟୁଜିଲାଣ୍ଡ ବିରୋଧରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ଭାରତ ସଫଳତାର ସହ ୩୦୦ରୁ ଅଧିକ ରନର ଲକ୍ଷ୍ୟକୁ ହାସଲ କରିଛି।
ଏହି ବିଜୟ ସହ ଭାରତ ବିଶ୍ୱର ପ୍ରଥମ ଓ ଏକମାତ୍ର ଦଳ ଭାବେ ପରିଣତ ହୋଇଛି, ଯିଏ ଦିନିକିଆ କ୍ରିକେଟରେ ୨୦ଥର ୩୦୦ରୁ ଅଧିକ ରନ ବିଶିଷ୍ଟ ଟାର୍ଗେଟ ଚେଜ୍ କରି ବିଜୟୀ ହୋଇଛି।
ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ଇଂଲଣ୍ଡ, ଯାହା ୧୫ଥର ଏପରି ସଫଳତା ହାସଲ କରିଛି। ୧୪ଥର ୩୦୦ ପ୍ଲସ୍ ଚେଜ୍ ସହ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନରେ ଓ ୧୨ଥର ସଫଳତା ସହ ପାକିସ୍ତାନ ଚତୁର୍ଥ ସ୍ଥାନରେ ରହିଛି। ତାଲିକାର ୫ମ ସ୍ଥାନରେ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ରହିଛନ୍ତି, ଯେଉଁମାନେ ଦିନିକିଆରେ ୧୧ଥର ଲେଖାଏଁ ଏପରି ସଫଳତା ହାସଲ କରିଛନ୍ତି।
ଆଜିକାଲି ଦିନିକିଆ କ୍ରିକେଟରେ ୩୦୦ ରନ ସ୍କୋର କରିବା ସାଧାରଣ ଘଟଣା ହୋଇଯାଇଥିଲେ ବି, ବ୍ୟାଟିଂରେ ପଛରେ ରହି ୩୦୦ ପ୍ଲସ୍ ଟାର୍ଗେଟକୁ ଚେଜ୍ କରିବା ଏବେ ବି ଅତ୍ୟନ୍ତ କଷ୍ଟକର। ସେଥିପାଇଁ ଭାରତର ଏହି ସଫଳତାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି।
ଭାରତ ପ୍ରଥମଥର ୧୯୯୮ ମସିହାରେ ୩୦୦ରୁ ଅଧିକ ଟାର୍ଗେଟ ଚେଜ୍ କରି ବିଜୟୀ ହୋଇଥିଲା। ଢାକାରେ ଅନୁଷ୍ଠିତ ସିଲଭର ଜୁବିଲି ଇଣ୍ଡିପେଣ୍ଡେନ୍ସ କପ ଫାଇନାଲ ମ୍ୟାଚରେ ପାକିସ୍ତାନ ଭାରତ ଆଗରେ ୩୧୫ ରନର ଲକ୍ଷ୍ୟ ରଖିଥିଲା। ଭାରତ ୩୧୬ ରନ କରି ଇତିହାସ ସୃଷ୍ଟି କରିଥିଲା। ସେହି ମ୍ୟାଚ ଥିଲା ବିଶ୍ୱ କ୍ରିକେଟରେ ପ୍ରଥମ ୩୦୦ ପ୍ଲସ୍ ସଫଳ ଚେଜ୍।
ଏହା ପରେ ୨୦୦୨ ମସିହା ଜୁଲାଇରେ ଲର୍ଡ୍ସରେ ଆଉ ଏକ ଐତିହାସିକ ବିଜୟ ହାସଲ କରିଥିଲା ଭାରତ। ଇଂଲଣ୍ଡ ଦ୍ୱାରା ରଖାଯାଇଥିବା ୩୨୬ ରନର ଟାର୍ଗେଟକୁ ଯୁବରାଜ ସିଂ ଓ ମହମ୍ମଦ କୈଫଙ୍କ ୧୨୧ ରନର ଐତିହାସିକ ଭାଗିଦାରୀ ବଳରେ ଭାରତ ହାସଲ କରିଥିଲା।
ତେବେ ଭାରତର ସବୁଠାରୁ ବଡ଼ ୩୦୦ ପ୍ଲସ୍ ଚେଜ୍ ରେକର୍ଡ ଅଷ୍ଟ୍ରେଲିଆ ବିରୋଧରେ ରହିଛି। ୨୦୧୩ ଅକ୍ଟୋବର ୧୩ରେ ଜୟପୁରରେ ଖେଳାଯାଇଥିବା ମ୍ୟାଚରେ ଅଷ୍ଟ୍ରେଲିଆ ୩୬୦ ରନର ଲକ୍ଷ୍ୟ ରଖିଥିଲା। ଭାରତ ୩୬୨ ରନ କରି ଏହି ଐତିହାସିକ ଟାର୍ଗେଟକୁ ହାସଲ କରିଥିଲା। ସେହି ମ୍ୟାଚରେ ରୋହିତ ଶର୍ମା ଓ ବିରାଟ କୋହଲି ଶତକ ଅର୍ଜନ କରିଥିବାବେଳେ ଶିଖର ଧାୱନ ୯୫ ରନର ଇନିଂସ୍ ଖେଳିଥିଲେ।

socialtalknews

Leave a Comment