ମୋନ୍ଥା” ବାତ୍ୟା ୨୮ ରାତିରେ ଭୂମିସ୍ପର୍ଶ କରିବ, ଓଡ଼ିଶାରେ ଅତି ପ୍ରବଳ ବର୍ଷାର ସତର୍କତା

By- SUBHASMITA oct 25 2025

ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ କୁ ନେଇ ଆସିଲା ଭୟଙ୍କର ସୂଚନା। ଭାରତୀୟ ପାଣିପାଗ ବିଭାଗ ଜଣାଇଛି ଯେ, ୨୮ ରାତିରେ ଆନ୍ଧ୍ରପ୍ରଦେଶର କାକିନଡ଼ା ପାଖରେ ବାତ୍ୟା ଭୂମିସ୍ପର୍ଶ କରିବ। ଏହା ମଛଲିପଟ୍ଟନମ ଓ କଳିଙ୍ଗପଟ୍ଟନମ ମଧ୍ୟରେ ଥିବା କାକିନଡ଼ା ଅଞ୍ଚଳରେ ହେବ। ଲ୍ୟାଣ୍ଡଫଲ ସମୟରେ ପବନ ବେଗ ୯୦ରୁ ୧୦୦ କିଲୋମିଟର ପ୍ରତି ଘଣ୍ଟା ପର୍ଯ୍ୟନ୍ତ ହୋଇପାରେ ବୋଲି ସତର୍କତା ଜାରି କରାଯାଇଛି।
ପାଣିପାଗ ବିଭାଗ ଅନୁସାରେ, ବଙ୍ଗୋପସାଗରରେ ଗଠିତ ଲଘୁଚାପ ଏବେ ଗଭୀର ଅବପାତରେ ପରିଣତ ହୋଇଛି। ଏହା ୨୬ ତାରିଖ ସୁଦ୍ଧା ଆହୁରି ଶକ୍ତିଶାଳୀ ହେଇ ଘୂର୍ଣ୍ଣିଝଡ଼ରେ ପରିଣତ ହେବା ଆଶା ରହିଛି ଏବଂ ୨୮ ରେ ଏହା ସିଭିୟର ସାଇକ୍ଲୋନ “ମୋନ୍ଥା” ରୂପେ ଉତ୍ତରପଶ୍ଚିମ ଆଡକୁ ଗତି କରିବ।
ଏହାକୁ ଦୃଷ୍ଟିରେ ରଖି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବରରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି। ବିଭିନ୍ନ ବିଭାଗ ଓ ଜିଲ୍ଲାପାଳମାନେ ଭିଡିଓ କନଫରେନ୍ସିଂ ଜରିଆରେ ଉପସ୍ଥିତ ହୋଇ ବାତ୍ୟା ପ୍ରସ୍ତୁତି ଆଲୋଚନା କରିଛନ୍ତି।
ବାତ୍ୟା ପ୍ରଭାବରେ ୨୭ ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।
ବିଶେଷତଃ ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି, ରାୟଗଡ଼ା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼, କଟକ ଓ ଖୋର୍ଦ୍ଧା ଜିଲ୍ଲାଗୁଡ଼ିକ ଉପରେ ଅଧିକ ପ୍ରଭାବ ପଡ଼ିପାରେ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ଆକଳନ କରିଛି।
ପାଣିପାଗ ବିଭାଗ ମତ୍ସ୍ୟଜୀବୀଙ୍କୁ ୨୬ ରୁ ୨୯ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନଯିବାକୁ ସଚେତନ କରିଛି। ଏହି ବାତ୍ୟାରେ ଜନସାଧାରଣଙ୍କୁ ସତର୍କ ରହିବା, ଅବାଞ୍ଛିତ ଯାତ୍ରା ଏଡ଼ାଇବା ଓ ସରକାରୀ ନିର୍ଦ୍ଦେଶ ପାଳନ କରିବାକୁ ଅନୁରୋଧ କରାଯାଇଛି।
Socialtalknews

Leave a Comment