ଭାରତର ପ୍ରତିଟି ଜିଲ୍ଲାକୁ ମୋବାଇଲ୍ ବିପ୍ଲବ ପହଞ୍ଚିଲା — ମୋଦୀ
By – SUBHASMITA ଅକ୍ଟବର 10 2025
ନୂଆଦିଲ୍ଲୀ : ଭାରତ ଏବେ ଡିଜିଟାଲ୍ ଦୁନିଆରେ ନୂଆ ମାଇଲସ୍ଟୋନ୍ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଦେଶର ପ୍ରତ୍ୟେକ ଜିଲ୍ଲାରେ ଏବେ ୫ଜି ସେବା ପହଞ୍ଚିଛି। କେବଳ କିଛି ବର୍ଷ ପୂର୍ବରେ ଯେଉଁ ଭାରତ ୨ଜି ସେବା ପାଇଁ ସଂଘର୍ଷ କରୁଥିଲା, ସେହି ଭାରତ ଏବେ ଉଚ୍ଚ ଗତିର ଡାଟା ଯୁଗରେ ପ୍ରବେଶ କରିଛି।
ଯଶୋଭୂମିରେ ଆୟୋଜିତ ଭାରତ ମୋବାଇଲ୍ କଂଗ୍ରେସ ୨୦୨୫ ଉଦ୍ଘାଟନ ସମୟରେ ସେ କହିଥିଲେ ଯେ, “ଏବେ ଭାରତରେ ୧ଜିବି ଡାଟାର ଦାମ୍ ଚା’ ଏକ କପ୍ ଦରଠାରୁ ମଧ୍ୟ କମ୍।” ସେ ଯୋଗ କରିଥିଲେ ଯେ, ‘ମେକ୍ ଇନ୍ ଇଣ୍ଡିଆ’ ଉଦ୍ୟମର ଫଳରେ ଦେଶ ନିଜେ ତିଆରି କରୁଛି ୪ଜି ଓ ୫ଜି ପ୍ରଯୁକ୍ତି, ଯାହା ଭାରତକୁ ବିଶ୍ବର ପାଞ୍ଚଟି ଅଗ୍ରଣୀ ଦେଶ ମଧ୍ୟରେ ରଖିଛି।
ଟେଲିକମ୍ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ଅବସରରେ କହିଛନ୍ତି ଯେ ୨୦୧୪ରେ ଯେଉଁଠାରେ ୧ଜିବି ଡାଟା ଦାମ୍ ୨୮୭ ଟଙ୍କା ଥିଲା, ବର୍ତ୍ତମାନ ସେହି ଡାଟା କେବଳ ୯ ଟଙ୍କା ୧୧ ପଇସାରେ ମିଳୁଛି। ସେ କହିଥିଲେ ଯେ ଭାରତ ଏବେ ପ୍ରଯୁକ୍ତି ନିର୍ଭର ଦେଶ ଭାବେ ବିଶ୍ବ ମଞ୍ଚରେ ଉଦାହରଣ ହୋଇଛି।
ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ଚିପ୍ ସେଟ୍, ବ୍ୟାଟେରି, ଡିସପ୍ଲେ ଓ ସେନସର୍ ଉତ୍ପାଦନକୁ ଦେଶୀ ମାଟିରେ ନିଜେ କରିବାର ପ୍ରୟୋଜନୀୟତା ଉଲ୍ଲେଖ କରି ଡିଜିଟାଲ୍ ସ୍ଵାଧୀନତାର ନୂଆ ଲକ୍ଷ୍ୟ ନିର୍ଦ୍ଦେଶ କରିଛନ୍ତି।
Socialtalknews