ସୋଭନା ମହାନ୍ତିଙ୍କୁ ମହିଳା କମିସନର ବଡ଼ ଦାୟିତ୍ୱ :

Talk Always Truth

ସୋଭନା ମହାନ୍ତି ମହିଳା କମିସନ ଅଧ୍ୟକ୍ଷ, ଶିଶୁ ସୁରକ୍ଷା ଆୟୋଗରେ ବବିତା ପାତ୍ର ଅଧ୍ୟକ୍ଷ ନିଯୁକ୍ତ
ଭୁବନେଶ୍ବର: ରାଜ୍ୟ ସରକାର ସୋଭନା ମହାନ୍ତିଙ୍କୁ ମହିଳା କମିସନର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏ‌ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ଜାରି ହୋଇଛି। ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ କରଞ୍ଜିଆ ଗାଁର ସୋଭନା ମହାନ୍ତି ଏହି ପଦବିରେ ତିନି ବର୍ଷ ରହିବେ ବୋଲି ଏଥିରେ କୁହାଯାଇଛି।
ନୂଆ ନିଯୁକ୍ତି ନେଇ ସୋଭନା ମହାନ୍ତି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ଶ୍ରୀମତୀ ମହାନ୍ତି କହିଛନ୍ତି, ପଦପାଇଁ ଆଶା କରି ନଥିଲି। କିନ୍ତୁ ଏହା ମିଳିଥିବାରୁ ଖୁସି ଅନୁଭବ କରୁଛି। ରାଜ୍ୟ ସରକାର ଯେଉଁ ଦାୟିତ୍ବ ଦେଇଛନ୍ତି, ତାକୁ ଠିକ୍‌ ଭାବେ ତୁଲାଇବି। ମୖହିଳାଙ୍କୁ ଠିକ ଭାବେ ନ୍ୟାୟ ଦେବାକୁ ଉଦ୍ୟମ କରିବି। ଆମ ସରକାରରେ ମହିଳାଙ୍କୁ ଉଚିତ ନ୍ୟାୟ ମିଳିବ। ମୁଁ ବାଲେଶ୍ବରର ଝିଅ, ନ୍ୟାୟ ପାଇଁ ସବୁବେଳେ ଲଢ଼ିବି। ନିଜ ଦଳ ହୁଅନ୍ତୁ ବା ଅନ୍ୟ କେଉଁ ଦଳର ହୁଅନ୍ତୁ ଦୋଷୀଙ୍କୁ ଛଡ଼ାଯିବ ନାହିଁ।
ରାଜ୍ୟ ସରକାର ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ପଦବିରେ ବ୍ରହ୍ମପୁରର ସୋମନାଥନଗର ‌ଲେନ୍‌-୪ ମୟୂରବିହାର ନିବାସୀ ବବିତା ପାତ୍ରଙ୍କୁ ନିଯୁକ୍ତି ଦେଇଛନ୍ତି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ମନ୍ଦାକିନୀ କରଙ୍କୁ ବହିଷ୍କାର ପରେ ଏହି ପଦବି ୫ ମାସ ହେଲା ଖାଲି ପଡ଼ିଥିଲା। ରାଜ୍ୟ ସରକାର ମହିଳା ଓ ଶିଶୁ ଆୟାଗରେ ୪ ଜଣ ସଦସ୍ୟଙ୍କୁ ମନୋନୀତ କରିଛନ୍ତି। ସେମାନେ ହେଲେ କଟକ ଜିଲ୍ଲା କନ୍ଦରପୁରର ଫକୀରପଡ଼ା ନିବାସୀ ପ୍ରତିଭା ଶତପଥୀ, ଭୁବନେଶ୍ବର ୟୁନିଟ୍‌-୭ର ସୂର୍ଯ୍ୟନଗରର କୁମୁଦ ଟାୱାର ନିବାସୀ ଉର୍ମିଳା ମହାପାତ୍ର, କେନ୍ଦ୍ରାପଡ଼ା ଜିଲ୍ଲା କପଳେଶ୍ବର ଗାଁର କଳ୍ପନା ମିଲ୍ଲିକ ଓ ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଲଖମରା ଗାଁର ମୁକ୍ତା ସାହୁ।
ଶିଶୁ ସୁରକ୍ଷା ଅଧ୍ୟକ୍ଷ ବବିତା ପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି, ବିଶ୍ୱାସ କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଉଛି।ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି। ଶିଶୁ ଅଧିକାର ଓ ସୁରକ୍ଷା ସୁନିଶ୍ଚିତ ହେବ। ଶିଶୁ ନିର୍ଯାତନା କମାଇବାକୁ ରୋଡ଼ ମ୍ୟାପ କରିବୁ। ବିଭାଗ ସହ ମିଶି ଶିଶୁ ଚାଲାଣ ଓ ଶିଶୁ ଶ୍ରମିକ ରୋକିବୁ। ବିଜେପି ସରକାରରେ ଶିଶୁଙ୍କ କଲ୍ୟାଣ ହେବ। ନାବାଳିକା ଦୁଷ୍କର୍ମ, ଶିଶୁ ନିର୍ଯାତନା ଉପରେ କଠୋର ବ୍ୟବସ୍ଥା କରାଯିବ।


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page