ଚର୍ଚ୍ଚା ଜୋର୍‌ ଧରିଲା:

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ରାଜ୍ୟ ମାନ୍ୟତା ଫେରି ପାଇବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ରବିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପଛକୁ ପଛ ଭେଟିବା ପରେ ସୋସିଆଲ ମିଡିଆରେ ଏ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ପୃଥକ୍‌ ଭାବେ ଶାହ ମଧ୍ୟ ଆଜି ଜମ୍ମୁ କାଶ୍ମୀରର କିଛି ବରିଷ୍ଠ ନେତା ସହ ଏକ ବୈଠକ କରିଛନ୍ତି। ମିଳିଥିବା ସୂଚନାନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମଙ୍ଗଳବାର ଏନ୍‌ଡିଏ ସାଂସଦମାନଙ୍କର ଏକ ବୈଠକ ଡାକିଛନ୍ତି । ଏହି ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇପା‌ରେ ବୋଲି କୁହାଯାଉଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆସନ୍ତାକାଲି(ଅଗଷ୍ଟ ୫) ଧାରା ୩୭୦ ଉଚ୍ଛେଦକୁ ୬ ବର୍ଷ ପୂରିବାକୁ ଯାଉଛି। ୨୦୧୯ ଅଗଷ୍ଟ ୫ରେ ଜମ୍ମୁ କାଶ୍ମୀରକୁ ୨ ଭାଗରେ ବିଭକ୍ତ କରି ଜମ୍ମୁ କାଶ୍ମୀର ଏବଂ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯାଇଥିଲା। ଜମ୍ମୁ କାଶ୍ମୀରକୁ ରାଜ୍ୟମାନ୍ୟତା ଫେରାଇବା ପାଇଁ ଦୀର୍ଘ ଦିନରୁ ଦାବି ‌ହେଉଥିବାରୁ ସରକାର ଏଦିଗରେ କିଛି ନିଷ୍ପତ୍ତି ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ରାଷ୍ଟ୍ରପତିଙ୍କୁ ମୋଦୀ, ଶାହ ଭେଟିବା ପରେ ଚର୍ଚ୍ଚା ଜୋର୍‌ ଧରିଲା
ଧାରା ୩୭୦ ଉଚ୍ଛେଦକୁ ଆଜି ୬ବର୍ଷ ପୂରିବ, ହୋଇପାରେ ବଡ଼‌ ଘୋଷଣା
ଉଲ୍ଲେଖଯୋଗ୍ୟ, ଚଳିତ ମାସର ପ୍ରଥମ ୨ ଦିନରେ ଗୃହମନ୍ତ୍ରୀ ଶାହ ଜମ୍ମୁ କାଶ୍ମୀର ବିଜେପି ମୁଖ୍ୟ ସତ୍‌ ପଲ୍‌ ଶର୍ମା ଏବଂ ଲଦାଖ ଉପରାଜ୍ୟପାଳ କବିନ୍ଦର ଗୁପ୍ତାଙ୍କ ସହ ପୃଥକ୍‌ ବୈଠକ କରିଛନ୍ତି। ସୋମବାର ଅଲ୍‌ ଜେଜେ ସିଆ ଏସୋସିଏସନ୍‌ ସଭାପତି ଇମ୍ରାନ ରାଜା ଅନସାରୀ ମଧ୍ୟ ଶାହଙ୍କୁ ଭେଟିଛନ୍ତି ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ବାସ୍ତବ ସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ତେବେ ନୂଆଦିଲ୍ଲୀର କ୍ଷମତା ଅଳିନ୍ଦରେ ଏଭଳି ଘନଘନ ବୈଠକକୁ ସୋସିଆଲ ମିଡିଆରେ ବିଶେଷଜ୍ଞମାନେ ଆଦୌ ଅଣଦେଖା କରିନାହାନ୍ତି। ଜମ୍ମୁ କାଶ୍ମୀରକୁ ରାଜ୍ୟମାନ୍ୟତା ଦେବାପାଇଁ ଏକ ବିଧେୟକ ଆସିପାରେ ବୋଲି ଚର୍ଚ୍ଚା ହେଉଛି। ଜଣେ ଅବସରପ୍ରାପ୍ତ ସେନା ଅଫିସର କହିଛନ୍ତି, ଅଗଷ୍ଟ ୫ ତାରିଖରେ କିଛି ବଡ଼ ଘୋଷଣା ହୋଇପାରେ ବୋଲି ଅନୁମାନ କରାଯା‌ଉଛି। ଧାରା ୩୭୦ ଉଚ୍ଛେଦ ହେବାପରଠାରୁ ଜମ୍ମୁ କାଶ୍ମୀରକୁ ରାଜ୍ୟ ମାନ୍ୟତା ଦେବାପାଇଁ ଦାବି ହୋଇଆସୁଛି। ୨୦୨୩ ଡିସେମ୍ବରରେ ସୁପ୍ରିମକୋର୍ଟ ଧାରା ୩୭୦ ଉଚ୍ଛେଦକୁ କାଏମ ରଖିବା ସହ ତୁରନ୍ତ ଜମ୍ମୁ କାଶ୍ମୀରର ରାଜ୍ୟ ମାନ୍ୟତା ଫେରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସରକାର କୋର୍ଟଙ୍କୁ ଏନେଇ ଆଶ୍ବସ୍ତ କରିଥିଲେ। କିନ୍ତୁ ଏଯାବତ୍‌ ଉକ୍ତ ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ !

Leave a Reply

Your email address will not be published. Required fields are marked *

You cannot copy content of this page