ସାଂସଦ ଶୁଭାଶିଷଙ୍କ ପ୍ରଶ୍ନର ଉତ୍ତର ରଖିଲେ କେନ୍ଦ୍ରମନ୍ତ୍ରୀ :
ପୁରୀ : ପୁରୀ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦରକୁ ପ୍ରମୁଖ ବହୁ ଅନୁମୋଦନ ମିଳିଲାଣି । ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜାରାପୁ ରାମମୋହନ ନାଇଡୁ ସୋମବାର ରାଜ୍ୟସଭାରେ ଉତ୍ତର ରଖିଛନ୍ତି । ଏହି ବିମାନବନ୍ଦର ସ୍ଥିତି କ’ଣ ବୋଲି ପୁରୀ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଏକ ପ୍ରଶ୍ନ କରିଥିଲେ |
ସାସଂଦ ଶ୍ରୀ ଖୁଣ୍ଟିଆଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଉତ୍ତର ଦେଇଥିଲେ, ଗ୍ରୀନ୍ ଫିଲ୍ଡ ଏୟାରପୋର୍ଟ ନୀତି୨୦୦୮ ଅନୁଯାୟୀ ବିମାନବନ୍ଦର ପ୍ରତିଷ୍ଠା ନିମନ୍ତେ ଦୁଇଟି ପର୍ଯ୍ୟାୟରେ ଅନୁମୋଦନ ଆବଶ୍ୟକ । ତାହା ହେଲା ବିମାନବନ୍ଦର ନିମନ୍ତେ ଭୂମି ଅନୁମୋଦନ(ସାଇଟ୍ କ୍ଲିୟରାନ୍ସ) ଓ ନୀତିଗତ ଅନୁମୋଦନ(ଇନ୍-ପ୍ରିନ୍ସପିଲ ଆପ୍ରୁଭାଲ) । ୨୦୨୩ ସେପ୍ଟେମ୍ବରରେ ରାଜ୍ୟ ସରକାର ସାଇଟ୍ କ୍ଲିୟରାନ୍ସ ଅନୁମୋଦନ କରିଥିଲେ । ୨୦୨୫ ମେ୬ରେ ବେସାମରିକ ବିମାନଚଳାଚଳ ମନ୍ତ୍ରଣାଳୟ ‘ଇନ୍-ପ୍ରିନ୍ସିପିଲ’ ଅନୁମତି ନେଇଛି । ୨୦୨୫ ଜୁନ୍ରେ ଏକ୍ସପଟ ଅପ୍ରାଇଜାଲ କମିଟି ପରିବେଶ କ୍ଲିୟରାନ୍ସ ପାଇଁ ସୁପାରିସ କରିଛନ୍ତି । ବିଭିନ୍ନ ଅଂଶିଦାରମାନଙ୍କ ସହ ପରାମର୍ଶ ପରେ ଷ୍ଟିୟରିଂ କମିଟି ସୁପାରିସ ପରେ ଏହି ପ୍ରକଳ୍ପ ନିମନ୍ତେ ପ୍ରତିରକ୍ଷା ମନ୍ତ୍ରଣାଳୟ କୌଣସି ଆପତ୍ତି(ନୋ-ଅବଜେକ୍ସନ) ନଥିବା ଅନୁମତି ଦେଇସାରିଛି ।
ରାଜ୍ୟର ଆର୍ଥିକ କାରବାର ବିକାଶରେ ଏହି ପ୍ରକଳ୍ପ ସହାୟକ ହେବ । ଯାତ୍ରୀଙ୍କ ଯାତାୟାତ ସୁବିଧା ବଢ଼ାଇବା ସହ ପର୍ଯ୍ୟଟନ ବିକାଶ, ନିଯୁକ୍ତି ସୃଷ୍ଟି କରିବ । ଏହା ଅଞ୍ଚଳର ଜମି ଦର ବୃଦ୍ଧିରେ ସହାୟକ ହେବ । ଏଥିସହ ବିଭିନ୍ନ ପ୍ରକଳ୍ପ ଟ୍ୟାକ୍ସ ଓ ଷ୍ଟାମ୍ପ ଡ୍ୟୁଟି ଆଦାୟ ବୃଦ୍ଧି ପାଇବ । ଏହା କେନ୍ଦ୍ର ଓ ରାଜ୍ୟର ସାମଗ୍ରିକ ଉନ୍ନତିରେ ସହାୟକ ହେବ । ଇଣ୍ଟରନ୍ୟାସନାଲ ସିଭିଲ ଆଭିଏସନଅର୍ଗାନାଇଜେସନ (ଆଇସିଏଓ) ସର୍ଭେ ମୁତାବକ ଏହା ବୟୁ ମାର୍ଗକୁ ପ୍ରଶସ୍ତ କରିବା ପରେ ୩.୨୫ ହାରରେ ଆର୍ଥିକ ଓ ୬.୧ ହାରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।
ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ, ପ୍ରଥମ ପର୍ଯ୍ୟାୟରେ ବାର୍ଷିକ ପ୍ରାୟ ୪.୬ ମିଲିୟନ ଯାତ୍ରୀ ପରିବହନ କ୍ଷମତା ବିଶିଷ୍ଟ ବିମାନ ବନ୍ଦର କରିବା ନିମନ୍ତେ କାର୍ଯ୍ୟ ହେଉଛି । ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ, ପ୍ରଭାବିତଙ୍କୁ ଥଇଥାନ ଓ ପୁନର୍ବାସ, ପାଣ୍ଠି ବ୍ୟବସ୍ଥା ଓ ପରିବେଶ ଅନୁମତି ସୁନିଶ୍ଚିତ କରିବା ଦାୟିତ୍ୱ ରାଜ୍ୟ ସରକାର ନେଇଛନ୍ତି । ପ୍ରକଳ୍ପ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ, ସୁନିଶ୍ଚିତ ଆବଶ୍ୟକ ପଡ଼ୁଥିବା ଅନୁମତି ଓ ଅର୍ଥ ପ୍ରଦାନ ପ୍ରଭୃତି ପ୍ରକଳ୍ପ ଶେଷ କରିବା ଉପରେ ନିର୍ଭର କରୁଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ସୂଚନା ଥାଉକି, ବିମାନବନ୍ଦର ପ୍ରକଳ୍ପ ନିମନ୍ତେ ପ୍ରାୟ ୧୧୬୪.୭୫୪ ଏକର ଜମି ଆବଶ୍ୟକ ଥିବା ବେଳେ ଏଥିମଧ୍ୟରେ ୨୨୧.୮୯୧ ଏକର ଘରୋଇ ଜମି ଏବଂ ବାକି ୯୪୨.୮୬୩ ସରକାରୀ ଜମି ରହିଛି । ଏହି ଗ୍ରୀନ ଫିଲ୍ଡ ଏୟାରପୋର୍ଟ ପାଇଁ ପ୍ରଥମ ପର୍ଯ୍ୟାୟରେ ପିପିପି ମୋଡରେ ୨୩୦୩ କୋଟି ଟଙ୍କା ବିନିଯୋଗ ଲକ୍ଷ୍ୟ ରହିଛି । ୩ଟି ପର୍ଯ୍ୟାୟରେ ୫ ହଜାର ୬୩୧ କୋଟି ଟଙ୍କା ବ୍ୟୟରେ ଏହି ବିମାନବନ୍ଦର ବିକାଶ ଯୋଜନା ରହିଛି ।