ରାଜ୍ୟ ସରକାରଙ୍କର ଏକ ମୁଖ୍ୟ ଫୋକସ ହେଉଛି ଜେଟି ନିର୍ମାଣ ପାଇଁ ରିହାତି ଚୁକ୍ତିନାମା

ରାଜ୍ୟର ବିଭିନ୍ନ ସ୍ଥାନରେ କ୍ୟାପ୍‍ଟିଭ୍ ଜେଟି ନିର୍ମାଣ ପାଇଁ ରିହାତି ଚୁକ୍ତିନାମା | ସେଥିପାଇଁ ଓଡ଼ିଶାରେ ସାମୁଦ୍ରିକ ବାଣିଜ୍ୟର ବିକାଶକୁ ପ୍ରାଧ୍ୟାନ୍ୟ ଦେଇ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦର, ଜେଟି ଓ ଅନ୍ୟାନ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରୁଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଗୋପାଳପୁର ବନ୍ଦର ଉନ୍ନତିକରଣ ଏବଂ ଜଟାଧାର ମୁହାଣରେ କ୍ୟାପ୍‍ଟିଭ୍ ଜେଟି ନିର୍ମାଣ ପାଇଁ ରିହାତି ଚୁକ୍ତିନାମା (Concession Agreement) ସ୍ୱାକ୍ଷରିତ ହୋଇଛି ।

ଲୋକସେବା ଭବନଠାରେ ଆୟୋଜିତ ଏହି ଚୁକ୍ତିନାମା ସ୍ବାକ୍ଷର କାର୍ଯ୍ୟକ୍ରମରେ, ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ସାମୁଦ୍ରିକ ବାଣିଜ୍ୟର ବିକାଶ ପାଇଁ ବିଭିନ୍ନ ଘରୋଇ କମ୍ପାନୀ ସହିତ ସହଭାଗୀତା ଭିତ୍ତିରେ କାର୍ଯ୍ୟ କରାଯିବାର ଲକ୍ଷ୍ୟ ରଖାଯାଇଛି। ଆଗାମୀ ଦିନରେ ଇଞ୍ଚୁଡି ଓ ବାହୁଡାଠାରେ ଦୁଇଟି ନୂଆ ବନ୍ଦର ପ୍ରତିଷ୍ଠାର ଲକ୍ଷ୍ୟ ରଖାଯାଇଥିବା ବେଳେ ସୁବର୍ଣ୍ଣରେଖା ଓ ଅସ୍ତରଙ୍ଗ ବନ୍ଦରର ବିକାଶ ପାଇଁ ମଧ୍ୟ ଯୋଜନା ରହିଛି।

ସୂଚନାଯୋଗ୍ୟ, ଜଗତସିଂହପୁର ଜିଲା ଏରସମା ତହସିଲ ଅନ୍ତର୍ଗତ ଜଟାଧାର ମୁହାଣଠାରେ ଏକ କ୍ୟାପ୍ଟିଭ ଜେଟି ନିର୍ମାଣ ପାଇଁ ଜେ.ଏସ୍‌.ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍‌ ଲିମିଟେଡ୍‌ ସହିତ ରାଜ୍ୟ ସରକାରଙ୍କ ରିହାତି ଚୁକ୍ତିନାମା ସ୍ବାକ୍ଷର ହୋଇଛି। ୫୨ ମିଲିଅନ ମେଟ୍ରିକ ଟନ୍‌ ପଣ୍ୟ ପରିବହନ କ୍ଷମତା ବିଶିଷ୍ଟ ଏହି ଜେଟି ସ୍ଥାପନ ନିମନ୍ତେ ପ୍ରାରମ୍ଭିକ ସ୍ତରରେ ୨,୧୦୦ କୋଟି ଟଙ୍କା ନିବେଶ କରାଯିବ ଏବଂ ଏହା ମାଧ୍ୟମରେ ୩,୪୫୦ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ।

ସେହିପରି ୧୬,୫୫୪ କୋଟି ଟଙ୍କା ନିବେଶରେ ଗୋପାଳପୁର ବନ୍ଦରର ସଂପ୍ରସାରଣ ଓ ଉନ୍ନତିକରଣ କାର୍ଯ୍ୟ ପାଇଁ ଗୋପାଳପୁର ପୋଟର୍‌ସ ଲିମିଟେଡ୍‌ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ରିହାତି ଚୁକ୍ତିନାମା ସ୍ବାକ୍ଷର ହୋଇଛି। ଏହି ଉନ୍ନତିକରଣ କାର୍ଯ୍ୟ ପରେ ବନ୍ଦରର ପଣ୍ୟ ପରିବହନ କ୍ଷମତା ୫୦ ମିଲିଅନ ମେଟ୍ରିକ୍‌ ଟନ୍‌ ହେବ। ଏହା ମାଧ୍ୟମରେ ପ୍ରାୟ ୫ ହଜାର ଯୁବତୀଯୁବକଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିଯୁକ୍ତି ସୃଷ୍ଟି ହେବ।

Leave a Comment