ଭାରତ ମୁଣ୍ଡ ନୁଆଇଁବନି :

ନୂଆଦିଲ୍ଲୀ: ରୁଷ୍ ସହ ତେଲ କାରବାର କରୁଥିବାରୁ ଭାରତ ଉପରେ ଖପ୍ପା ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ପୂର୍ବରୁ ଲଗାଇଥିବା ୨୫ ପ୍ରତିଶତ ସହ ଅତିରିକ୍ତ ୨୫ ପ୍ରତିଶତ ମିଶିବା ପରେ ଭାରତ ଉପରେ ଆମେରିକାର ମୋଟ୍‌ ଶୁଳ୍କ ୫୦ ପ୍ରତିଶତକୁ ବୃଦ୍ଧି ପାଇଛି। ଆମେରିକାର ୫୦% ଶୁଳ୍କ ବୋମା ମାଡ଼ ହେବା ପରେ ଚପିନି ଭାରତ। ଆମେ କାହା ଆଗରେ ମୁଣ୍ଡ ନୁଆଁଇବୁ ନାହିଁ ବୋଲି ସ୍ପଷ୍ଟ ଶବ୍ଦରେ କହିଛନ୍ତି ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନୂଆଦିଲ୍ଲୀରେ ଏମ୍.ଏସ୍. ସ୍ୱାମୀନାଥନ ଶତବାର୍ଷିକୀ ଆନ୍ତର୍ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରାଧାନମନ୍ତ୍ରୀ ମୋଦୀ କାହାର ନାମ ନନେଇ ଆମେରିକାକୁ କଡ଼ା ଜବାବ ଦେଇଥିଲେ।
ସେ କହିଥିଲେ ଯେ, “ଭାରତ କେବେବି ଏହାର ଚାଷୀ, ପଶୁପାଳକ ଏବଂ ମତ୍ସ୍ୟଜୀବୀ ଭାଇଭଉଣୀଙ୍କ ସ୍ୱାର୍ଥ ସହିତ ସାଲିସ କରିବ ନାହିଁ। ମୁଁ ଜାଣେ ଯେ, ବ୍ୟକ୍ତିଗତ ଭାବରେ ଏଥିପାଇଁ ମୋତେ ବହୁତ ମୂଲ୍ୟ ଦେବାକୁ ପଡିବ, କିନ୍ତୁ ମୁଁ ଏଥିପାଇଁ ପ୍ରସ୍ତୁତ। ଭାରତ ତା’ର କୃଷକମାନଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଛି ଏବଂ ସେମାନଙ୍କ କଲ୍ୟାଣ ପାଇଁ ଯାହା ଆବଶ୍ୟକ ମୁଁ ତାହା କରିବାକୁ ପ୍ରସ୍ତୁତ।”
ଏହା ପୂର୍ବରୁ ଆମେରିକା ଅତିରିକ୍ତ ଶୁଳ୍କ ଲଗାଇବା ପରେ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ତାହାକୁ ଦୁର୍ଭାଗ୍ୟଜନକ ବୋଲି କୁହାଯାଇଥିଲା। ମନ୍ତ୍ରାଳୟ କହିଛି ଯେ, ରୁଷ୍‌ରୁ ତେଲ କିଣୁଥିବାରୁ କିଛି ଦିନ ହେଲାଣି ଭାରତକୁ ଆମେରିକା ଟାର୍ଗେଟ୍‌ କରୁଛି। ବଜାର ସ୍ଥିତି ଓ ଭାରତର ୧୪୦ କୋଟି ଜନତାଙ୍କ ଶକ୍ତି ସୁରକ୍ଷା ନିଶ୍ଚିତ କରିବା ଲାଗି ଆମେ ତେଲ ମଗାଉଥିବା ନେଇ ଆମ ଅଭିମୁଖ୍ୟକୁ ସ୍ପଷ୍ଟ କରିସାରିଛୁ। ନିଜ ସ୍ବାର୍ଥ ରକ୍ଷା ଲାଗି ଅନ୍ୟ ଦେଶଗୁଡ଼ିକ ପଦକ୍ଷେପ ନେଉଥିବା ବେଳେ ଭାରତ ଉପରେ ଆମେରିକା ଅତିରିକ୍ତ ଶୁଳ୍କ ଲଗାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆମେରିକାର ଏହି ପଦକ୍ଷେପ ଅଯୌକ୍ତିକ ଓ ଅନୁଚିତ ।

Leave a Reply

Your email address will not be published. Required fields are marked *

You cannot copy content of this page