ବେପାର ‘ନୋ ପାର୍କିଂ’ରେ ଗାଡ଼ି :

Talk Always Truth

ଭୁବନେଶ୍ବର: ସୂଚନା ଫଳକରେ ଲେଖାଯାଇଛି ‘ନୋ ଭେଣ୍ଡିଂ ଜୋନ୍‌’ ଓ ‘ନୋ ପାର୍କିଂ’। ଅର୍ଥାତ୍ ସେହିଜାଗାରେ ବେପାର କରିବା ଓ ଗାଡ଼ି ରଖିବା ମନା। କିନ୍ତୁ ମାନୁଛି କିଏ! ବିଏମ୍‌ସି କର୍ତ୍ତୃପକ୍ଷ ଲେଖିଦେଲେ, ଗଲେ। ଅମାନିଆ ବେପାରୀ ‌ପସରା ଖୋଲି ବସିଲେ ଏବଂ ବାଇକ୍‌ ଆରୋହୀ ଓ ଗାଡ଼ିଚାଳକ ଖାଲି ଜାଗା ଦେଖି ଗାଡ଼ି ଥୋଇଲେ। ‌ତେଣିକି ବିଏମ୍‌ସି ଯେଉଁ ମହତ ଉଦ୍ଦେଶ୍ୟ ପାଇଁ ସୂଚନା ଫଳକ ଲଗାଇଛି, ତାହା ପୂରଣ ହେଲେ କେତେ ନ ହେଲେ, କେତେ! ପଛରେ କିଏ ମନା କରୁଛି ନା ଜରିମାନା କରୁଛି! ବିଏମ୍‌ସିର ଏଭଳି ଉଦାସୀନତା ପାଇଁ ସହରର ବିଭିନ୍ନ ଜାଗାରେ ଅଯଥା ଭିଡ଼ ବଢ଼ୁଛି ଏବଂ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି ବୋଲି ଅଭିଯୋଗ ହୋଇଆସୁଥିଲେ ହେଁ କିଛି ଫରକ ପଡ଼ୁନି। ଦୁର୍ଘଟଣା ବି ବଢ଼ିବଢ଼ି ଚାଲିଛି।
ଏଭଳି ଅମାନିଆଙ୍କୁ ସାବାଡ କରିବା ଲାଗି ବିଏମ୍‌ସିର ଏକାଧିକ ଏନ୍‌ଫୋର୍ସମେଣ୍ଟ ଟିମ୍ ରହିଛନ୍ତି। ଏହି ସ୍କ୍ବାଡ୍‌ ଅମାନିଆଙ୍କୁ ଜରିମାନା କରିବା ସହ ସେଭଳି ଜାଗାରୁ ଉଠାଇଦେବା କଥା। ଜୋନ୍ ଅନୁଯାୟୀ ଏହିସବୁ ସ୍କ୍ବାଡ୍‌କୁ ଦାୟିତ୍ବ ବଣ୍ଟନ କରାଯାଇଛି। ଟିମ୍‌ର ନେତୃତ୍ବ ନେବାକୁ ଜୋନାଲ୍‌ କମିସନର୍‌ ଓ ଏନ୍‌ଫୋର୍ସମେଣ୍ଟ ଅଧିକାରୀ ଅଛନ୍ତି। ତଥାପି ରାଜଧାନୀ ଛାତି ଉପରେ ‘ନୋ ପାର୍କିଂ’ ଜାଗାରେ ମାଳମାଳ ଗାଡ଼ି ପାର୍କିଂ ହେଉଛି। ‘ନୋ ଭେଣ୍ଡିଂ ଜୋନ୍‌’ ଜାଗାରେ ମାଳମାଳ ଦୋକାନ ଖୋଲିଛି। ଏ ଦିଗରେ ଏନ୍‌ଫୋର୍ସମେଣ୍ଟ ଟିମ୍‌ର ନିରବତା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ବହୁ ସମୟରେ ‘ନୋ ଭେଣ୍ଡିଂ ଜୋନ୍‌’ ଘୋଷିତ ଜାଗାରେ ଠେଲା ଗାଡ଼ିଟିଏ ଧରି ଗରିବ ବେପାରୀଟିଏ ଛିଡ଼ା ହୋଇଗଲେ, ବିଏମ୍‌ସି ସ୍କ୍ବାଡ୍‌ ଓ ପୁଲିସ ଘଉଡ଼ାଇ ଦେଉଛନ୍ତି। ଅଥଚ ସେଇଠି ଅମାନିଆ ବେପାରୀମାନେ ବର୍ଷବର୍ଷ ଧରି ବେଆଇନ ଭାବେ ଦୋକାନ ପକାଇ ପସରା ମେଲାଇ ବସୁଥିଲେ ମଧ୍ୟ ସେମାନଙ୍କ ପାଖକୁ ବିଏମ୍‌ସି ସ୍କ୍ବାଡ୍‌ କିମ୍ବା ପୁଲିସର ହାତ ପହଞ୍ଚି ପାରେନାହିଁ। ଏହା ପଛର କାରଣ କ’ଣ ବୋଲି ପ୍ରଶ୍ନ ଉଠିଛି। ଏହା ପଛର କାରଣ କ’ଣ ଅମାନିଆଙ୍କୁ ଡର ନା ଆଉ କିଛି ବୋଲି ଚର୍ଚ୍ଚା ହେଉଛି। ଅମାନିଆଙ୍କ ମୁଣ୍ଡରେ କୌଣସି ପ୍ରଭାବଶାଳୀଙ୍କ ହାତ ରହିଛି କି? ଚାନ୍ଦା କାରବାର ଅନ୍ୟତମ କାରଣ ନୁହେଁ ତ? ଏମିତି ବହୁ ପ୍ରଶ୍ନ ରାଜଧାନୀରେ ଚର୍ଚ୍ଚାକୁ ଆସେ। ବିଶେଷକରି କିଛି ଦୋକାନୀ ରାଜନେତାଙ୍କ ଛତ୍ରଛାୟା ତଳେ ଥିବାରୁ ଡରରେ ଏନ୍‌ଫୋର୍ସମେଣ୍ଟ ଟିମ୍ ଏମାନଙ୍କ ପାଖ ମାଡ଼ୁନାହିଁ ବୋଲି ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ ଯେ ୟୁନିଟ୍-୧ ହାଟ ଓ ୟୁନିଟ୍-୨ ବଜାର ସମ୍ମୁଖ, ଅଶୋକନଗର ରାସ୍ତା, ରମାଦେବୀ ବିଶ୍ବବିଦ୍ୟାଳୟ ସମ୍ମୁଖ ରାସ୍ତାକୁ ‘ନୋ ପାର୍କିଂ ଜୋନ୍’ ଘୋଷଣା କରାଯାଇଛି। ଅଶୋକନଗରରେ କମିସନରେଟ୍ ପୁଲିସ ‘ନୋ ପାର୍କିଂ ଜୋନ୍’ ବୋଲି ବଡ଼ବଡ଼ ସୂଚନା ଫଳକ ଲଗାଇଛି। ସେହିଭଳି ଅନ୍ୟ ଜାଗାରେ ବିଏମ୍‌ସି ପକ୍ଷରୁ ‘ନୋ ପାର୍କିଂ ଜୋନ୍’ ବୋଲି ସୂଚନା ଫଳକ ଲଗାଯାଇଛି। କିନ୍ତୁ ସେଭଳି ଜାଗାରେ ଶହଶହ ଗାଡ଼ି ପାର୍କିଂ ହେଉଛି। ସମାନ ଅବସ୍ଥା ନୋ ଭେଣ୍ଡିଂ ଜୋନ୍‌ରେ। ରାଜ୍ୟ ସଂଗ୍ରହାଳୟ ଛକ, କଳ୍ପନା ଛକ, ୟୁନିଟ୍-୮ ଆଦି ସ୍ଥାନରେ ଥିବା ‘ନୋ ଭେଣ୍ଡିଂ ଜୋନ୍‌’ରେ ମାଳମାଳ ଦୋକାନ ପଡ଼ିଛି। ବର୍ଷବର୍ଷ ଧରି ଦୋକାନୀମାନେ ବେଧଡ଼କ ବସି ବେପାର କରୁଛନ୍ତି। ସହର ସାରା ସମାନ ପରିସ୍ଥିତି। ଉଠାଦୋକାନୀ ସଂଘର କାର୍ଯ୍ୟକର୍ତ୍ତାଙ୍କ ଅଭିଯୋଗ ଅନୁସାରେ ‘ନୋ ଭେଣ୍ଡିଂ ଜୋନ୍‌’ କରି ଗରିବ ଉଠ‌ାଦୋକାନୀଙ୍କୁ ତଡ଼ି ଦିଆଗଲା। ଅଥଚ ଯାହାର ପ୍ରଭାବ ଅଛି, ତାକୁ ଅଲିଖିତ ଅନୁମତି ଦିଆଯାଉଛି। ବିଏମ୍‌ସିର ଏହି ପକ୍ଷପାତ ନୀତି ଠିକ୍‌ ନୁହେଁ। ଯେଉଁମାନେ ନିୟମ ନ ମାନି ଦୋକାନ ଖୋଲିଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ। ଏନେଇ ଡେପୁଟି କମିସନର୍‌ ରୁବି ବେହେରା କହିଛନ୍ତି ଯେ ବିଭିନ୍ନ ଜୋନ୍‌ରେ ଏନ୍‌ଫୋର୍ସମେଣ୍ଟ ଜୋନାଲ୍ କମିସନର୍‌ ଅଛନ୍ତି। ସେମାନେ ନିୟମିତ ବ୍ୟବଧାନରେ ଯାଞ୍ଚ କରୁଛନ୍ତି। ମାତ୍ର ଜରିମାନା ପରେ ବି ସେମାନେ ପୁଣି କବ୍‌ଜା କରୁଛନ୍ତି।


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page