ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ବଡ଼ ଦେଉଳରୁ ଭାଇ ଭଉଣୀ ଙ୍କୁ ସାଙ୍ଗରେ ଧରି ବଡ଼ଦାଣ୍ଡକୁ ଆସିଛନ୍ତି କାଳିଆ ସାଆନ୍ତ। ସମସ୍ତ ନୀତିକାନ୍ତି ପରେ ଧାଡ଼ି ପହଣ୍ଡିରେ ଆସି ରଥାରୂଢ଼ ହୋଇଛନ୍ତି ୩ ଠାକୁର। ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ୱଜ ରଥ ପ୍ରସ୍ତୁତ | ପ୍ରଥମେ ଶ୍ରୀ ସୁଦର୍ଶନ ମହାପ୍ରଭୁଙ୍କ ପହଣ୍ଡି ହୋଇ ରଥାରୂଢ଼ ହୋଇଥିଲେ। ପରେ ତିନି ଠାକୁରଙ୍କ ପହଣ୍ଡି ହୋଇ ରଥରେ ବିରାଜମାନ କରିଛନ୍ତି। ରଥାରୂଢ଼ ଠାକୁରଙ୍କୁ ଛେରାପହଁରା କରୁଛନ୍ତି ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜା ।
ଛେରାପହଁରା କରିବା ପାଇଁ ଗଜପତି ମହାରାଜା ତାନଯାନରେ ବସି ରଥ ସମ୍ମୁଖରେ ପହଞ୍ଚି ଥିଲେ। ପରେ ଗଜପତି ମହାରାଜା ବଳଭଦ୍ରଙ୍କ ତାଳଧ୍ୱଜ ରଥରେ ଛେରାପହଁରା କରୁଛନ୍ତି। ଛେରାପହଁରା ନୀତିକୁ ଦେଖିବା ଲାଗି ଲକ୍ଷାଧିକ ଭକ୍ତଙ୍କ ସମାଗମ । ଦାରୁଦିଅଁ ଶ୍ରୀମନ୍ଦିରରୁ ବଡ଼ଦାଣ୍ଡକୁ ଓହ୍ଲାଇଆସି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଜଗା ପାଇଁ ଜନସମୁଦ୍ର ହୋଇଛି ବଡ଼ଦାଣ୍ଡ।