By-SUBHASMITA ନଭେମ୍ବର 8 2025
କଟକ : ଐତିହାସିକ ବାଲିଯାତ୍ରାରେ ଏବେ କଟକ ମହାନଗର ସ୍ୱାସ୍ଥ୍ୟ ବିଭାଗ ଜୋରଦାର ଅଭିଯାନ ଚାଲାଇଛି । ବାସି ଖାଦ୍ୟ ରଖି ବ୍ୟବସାୟ କରୁଥିବା ଦୋକାନଗୁଡ଼ିକ ଉପରେ ଅଭିଯାନ କରି ଗୋଟିଏ ଦୋକାନକୁ ସିଲ୍ କରିଦେଇଛି ପ୍ରଶାସନ । ସେହି ଦୋକାନରେ ଦୁଇ ଦିନ ପୁରୁଣା ଆମିଷ ଖାଦ୍ୟ ମିଳିଥିଲା, ଯାହାକୁ ପୁଣି ସିଝାଇ ବିକ୍ରି ପାଇଁ ପ୍ରସ୍ତୁତ କରାଯାଉଥିଲା ।
ସିଏମସି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ ସେହି ବାସି ଖାଦ୍ୟକୁ ନଷ୍ଟ କରିଦେଇଥିଲେ । ଯାଞ୍ଚ ସମୟରେ ଅନେକ ଦୋକାନରୁ ବଳକା ଖାଦ୍ୟ ଜବତ ହେବା ସହିତ ଫାଇନ୍ ମଧ୍ୟ କାଟାଯାଇଛି । ବାଲିଯାତ୍ରାକୁ ଆସୁଥିବା ହଜାର ହଜାର ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଶାସନ କହିଛି ।
ଖାଦ୍ୟ ସୁରକ୍ଷା ଅଧିକାରୀ ରଶ୍ମିତା ବେହେରା କହିଛନ୍ତି, “ଆଜି ପ୍ରାୟ ଅଢ଼େଇ କୁଇଣ୍ଟାଲ ବାସି ଖାଦ୍ୟ ନଷ୍ଟ କରାଯାଇଛି । ଯେଉଁ ଦୋକାନରେ ଏପରି ବାସି ଖାଦ୍ୟ ମିଳିଛି ସେମାନଙ୍କୁ ଚେତାବନୀ ଦିଆଯାଇଛି ଯେ ଏମିତି କାମ ପୁନର୍ବାର ହେଲେ ସେମାନଙ୍କ ଦୋକାନ ସିଲ୍ ହେବ । ତଥା, ଯଦି ଆସନ୍ତା ଦିନରେ ଏହି ଅଭିଯୋଗ ପୁନରାବୃତ୍ତି ହେଉଛି, ତେବେ ଆଗାମୀ ବର୍ଷ ସେମାନଙ୍କୁ ବାଲିଯାତ୍ରାରେ ବ୍ୟବସାୟ ଅନୁମତି ମିଳିବ ନାହିଁ।”
ସ୍ୱାସ୍ଥ୍ୟ ବିଭାଗର ଏହି କାର୍ଯ୍ୟାନୁଷ୍ଠାନ ପରେ ଅନ୍ୟ ଦୋକାନୀମାନେ ମଧ୍ୟ ସଚେତନ ହେଉଛନ୍ତି । ପ୍ରଶାସନ ଆଗାମୀ ଦିନରେ ମଧ୍ୟ ଏପରି ଯାଞ୍ଚ ଜାରି ରଖିବ ବୋଲି ସୂଚନା ମିଳିଛି ।
Socialtalknews
