ବାଦଲଫଟା ବର୍ଷା ଯେଗୁଁ ଆସିଲା ଭୟଙ୍କର ବନ୍ୟା :

Talk Always Truth

ଡେରାଡୁନ: ଉତ୍ତରାଖଣ୍ଡର ଉତ୍ତରକାଶୀର ଧରାଲି ଅଞ୍ଚଳରେ କ୍ଷୀର ଗଙ୍ଗା ନଦୀ ଅଞ୍ଚଳରେ ହଠାତ୍ ବାଦଲ ଫଟା ବର୍ଷା ଯୋଗୁ ଏକ ବଡ଼ ଧରଣର ବନ୍ୟା ସମଗ୍ର ଅଞ୍ଚଳରେ ତାଣ୍ଡବ ସୃଷ୍ଟି କରିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଧରାଲି ବଜାରକୁ ବହୁ କ୍ଷତି ପହଞ୍ଚାଇଛି। ପ୍ରଖର ବେଗରେ ବହୁଥିବା ଜଳ ସ୍ରୋତରେ ଦୋକାନ, ଯାନବାହାନ ଏବଂ କୋଠା ପାଣିରେ ଭାସି ଯାଇଛି।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ବନ୍ୟାର ଦୃଶ୍ୟ ଏତେ ଭୟଙ୍କର ଥିଲା ଯେ, ଲୋକମାନେ କିଛି ବୁଝିବା ପୂର୍ବରୁ ବିନାଶ ଘଟିଥିଲା। ପାଣିର ପ୍ରବାହ ଏତେ ପ୍ରଖର ଥିଲା ଯେ, ବଡ଼ ବଡ଼ ପଥର ଏବଂ ଆବର୍ଜନା ମଧ୍ୟ ବଜାର ଅଞ୍ଚଳରେ ପ୍ରବେଶ କରିଥିଲା। ଏଥିରେ କେତେ ଲୋକ ଭାସି ଯାଇଛନ୍ତି ତାହାର କୌଣସି ସଂଖ୍ୟା ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ।
ପ୍ରଶାସନିକ ସୂତ୍ରରୁ ସୂଚନା ମିଳିଛି ଯେ, କିଛି ଲୋକ ଭଗ୍ନାବଶେଷ ଏବଂ ଆର୍ବଜନା ତଳେ ପୋତି ହୋଇ ରହିଥିବା ସୂଚନା ମିଳିଛି, ଯଦିଓ ଏହା ଏପର୍ଯ୍ୟନ୍ତ ସରକାରୀ ଭାବରେ ନିଶ୍ଚିତ ହୋଇନାହିଁ। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଏସଡିଆରଏଫ ଦଳକୁ ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଥିଲା। ସ୍ଥାନୀୟ ପ୍ରଶାସନ, ପୁଲିସ ଏବଂ ଗ୍ରାମବାସୀ ମଧ୍ୟ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।
ଉପର ଅଞ୍ଚଳରେ ଉପସ୍ଥିତ ଲୋକଙ୍କ ଦ୍ୱାରା ଉଠାଯାଇଥିବା ପ୍ରାରମ୍ଭିକ ଫଟୋ ଏବଂ ଭିଡିଓରେ ବନ୍ୟାର ଭୟଙ୍କର ଦୃଶ୍ୟ ସ୍ପଷ୍ଟ ଭାବରେ ଦେଖାଯାଉଛି। କିପରି ହଠାତ୍ ଉପରୁ କ୍ଷୀର ଗଙ୍ଗାରେ ବନ୍ୟା ଆସିଲା ଏବଂ ଭୟଙ୍କର ବନ୍ୟା ପାଣିରେ ସବୁକିଛି ଭାସିଗଲା। ପାଣି ସମଗ୍ର ବଜାରକୁ ଗ୍ରାସି ଦେଇଥିଲା। ଭିଡିଓରେ ଦେଖାଯାଇଥିବା ଦୃଶ୍ୟ ଏତେ ଭୟଙ୍କର ଯେ, ଦେଖଣାହାରୀମାନେ ଏହାକୁ ଦେଖି ଭୟଭୀତ ହୋଇଯାଉଛନ୍ତି। ସମଗ୍ର ଧରାଳି ବଜାରର ଏକ ବଡ଼ ଅଂଶ ଭଗ୍ନସ୍ତୁପରେ ପରିଣତ ହୋଇଥିବା ଦେଖାଯାଉଛି। ଅନେକ ଦୋକାନ ଏବଂ ଘରର ଛାତ ଭୁଶୁଡ଼ି ପଡ଼ିଛି। ଏହି ଭୟଙ୍କର ପରିସ୍ଥିତି ନେଇ ସ୍ଥାନୀୟ ଲୋକମାନେ ନିର୍ବାକ୍ ହୋଇଯାଇଛନ୍ତି।
ପାଣିପାଗ ବିଭାଗ ପୂର୍ବରୁ ଉତ୍ତରାଖଣ୍ଡର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ତୁଷାରପାତର ସତର୍କତା ଜାରି କରିଥିଲା। ଉପରମୁଣ୍ଡରେ ବର୍ଷା ଯୋଗୁ କ୍ଷୀର ଗଙ୍ଗାରେ ଜଳସ୍ତର ସ୍ୱାଭାବିକଠାରୁ ବହୁତ ଅଧିକ ବୃଦ୍ଧି ପାଇଥିଲା। ଯାହା ଫଳରେ ଏହି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା।
ପାଣିପାଗ ବିଭାଗ ଏକ ପରାମର୍ଶ ଜାରି କରିଛି ଯେ, ବର୍ଷା ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ। ଉତ୍ତରକାଶୀ ପାଇଁ ପ୍ରବଳ ବର୍ଷା ସତର୍କତା ଜାରି କରାଯାଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ସେଠାରେ ପ୍ରବଳ ବର୍ଷା ହେବାର ସତର୍କତା ଜାରି କରାଯାଇଛି। ଯାତ୍ରୀମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page