ବର ବେଶରେ ସଜେଇ ହୋଇ ଡଙ୍ଗାରେ ଗଲେ କନ୍ୟା ଆଣି

ଜଳମଗ୍ନ ଗାଁ ଭିତରେ ନିଜ ମନର ମଣିଷକୁ ପାଇବା ପାଇଁ ବର ବେଶରେ ବାହାରିଛି ଯୁବକ। ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ନେଦା ଗ୍ରାମର ଦୃଶ୍ୟ । ଜଳ ମଧ୍ୟରେ ଘରୁ ବର ସହ ବରଯାତ୍ରୀ ଡଙ୍ଗାରେ ବାହାରି ପଡୋଶୀ ରାଜ୍ୟ ଝାଡଖଣ୍ଡର ଟାଟା ନଗରକୁ କନିଆ ଆଣିବାକୁ ବାହାରିଛନ୍ତି। ସ୍ବପ୍ନର ଥିଲା ବର ବେଶରେ ସଜେଇ ହୋଇ ନିଜ ମନର ମଣିଷକୁ ଘରଣୀ କରି ଆଣିବି ହେଲେ ପାଣିର ଫୋଟକା ପରି ସବୁ ମିଳାଇଗଲା। ଉଚ୍ଛୁଳା ନଦୀର ପାଣିରେ ସବୁ ସ୍ୱପ୍ନ ବୋହିଗଲା। ହାତ ଗଣ୍ଠି ପଡ଼ିଲା, ହେଲେ ଫୁଟିଲାନି ବାଣ, ଦୁଲୁକିଲାନି ଗାଁ। ଡଙ୍ଗାରେ ଯାଇ କନିଆର ହାତ ଧରିଲା ବର।

ସାରସକଣା ବ୍ଲକ୍ ନେଦା ଗାଁଟି ସୁବର୍ଣ୍ଣରେଖା ନଦୀ କୂଳରେ ଅବସ୍ଥିତ। ସୁବର୍ଣ୍ଣରେଖାରେ ବନ୍ୟା ଆସିଥିବାରୁ ଚାରିଆଡ଼େ ଖାଲି ପାଣି ପାଣି ପାଣି ପାଣି ଯୁଆଡ଼େ ଚାହିଁବେ ସିଆଡ଼େ କେବଳ ପାଣି। ଗାଁ ବୁଡ଼ିଛି, ରାସ୍ତା ବୁଡ଼ିଛି ଆଉ ଜୀବନ ବି ସତେ ଯେମିତି ଏଇ ପାଣିରେ ବୁଡ଼ି ଯାଇଛି। ଏହି ସମୟରେ ନେଦା ଗାଁରେ ଜଣେ ବ୍ୟକ୍ତିଙ୍କ ବିବାହ ତାରିଖ ପୂର୍ବରୁ ସ୍ଥିର ହୋଇଯାଇଥିଲା। ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖାରେ ହଠାତ୍ ବନ୍ୟା ଆସିଥିଲା। ପାଣିଘେରରେ ରହିଯାଇଥିଲା ନେଦା ଗାଁ।

ଗତ ଶୁକ୍ରବାର ବ୍ୟକ୍ତି ଜଣଙ୍କ ବନ୍ୟା ପାଣିକୁ ଖାତିର ନକରି ବିବାହ କରିବାକୁ ଯାଇଥିଲେ । ବର ବେଶରେ ସଜେଇ ହୋଇ ଗାଁରୁ ଡଙ୍ଗାରେ ବାହାରିଥିଲା ବର। ଗୋଟିଏ କିମି ଡଙ୍ଗାରେ ଯିବା ପରେ ବର ଓ ବରଯାତ୍ରୀ ଗାଡ଼ିରେ କନିଆ ଘର ଝାରଖଣ୍ଡର ଟାଟା ନଗରରେ ପହଞ୍ଚିଥିଲେ। ବର୍ଷ। ଓ ବନ୍ୟାକୁ ଖାତିର ନକରି ବିବାହ ପାଇଁ ଯାଇଥିବାରୁ ବରକୁ ପ୍ରଶଂସା କରିଛନ୍ତି ସ୍ଥାନୀୟ ଲୋକ । ତେବେ ବଢିପାଣିରେ ବିବାହ ପାଇଁ ବର ଡଙ୍ଗାରେ ଯାଉଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Leave a Reply

Your email address will not be published. Required fields are marked *

You cannot copy content of this page