ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ଝଟକା :

Talk Always Truth

ଜେଲ ଯିବେ ପିଟିଆଇ ସାଂସଦଙ୍କ ସମେତ ୧୬୬ ସଦସ୍ୟ :

ଇସ୍ଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଏକ ବଡ଼ ଝଟକା ଲାଗିଛି । ଏକ କୋର୍ଟ ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳର କିଛି ସାଂସଦଙ୍କ ସମେତ ୧୬୬ ଜଣ ସଦସ୍ୟଙ୍କୁ ୧୦ ବର୍ଷ ଲେଖାଏଁ ଜେଲଦଣ୍ଡ ଶୁଣାଇଛନ୍ତି । ସେମାନଙ୍କ ବିରୋଧରେ ୯ ମେ’, ୨୦୨୩ରେ ପଞ୍ଜାବ ପ୍ରଦେଶରେ ଆଇଏସଆଇ କୋଠା ଏବଂ ଅନ୍ୟାନ୍ୟ ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ ମାମଲା ରହିଛି । ଇମ୍ରାନ ଖାନଙ୍କ ପାକିସ୍ତାନ ତେହେରିକ୍-ଏ-ଇନସାଫ (ପିଟିଆଇ) ନେତାମାନଙ୍କୁ ଦଣ୍ଡ ଦିଆଯିବାର ଖବର, ଅଗଷ୍ଟ ୫ରୁ ସାରା ଦେଶରେ ପ୍ରସ୍ତାବିତ ‘ମୁକ୍ତ ଇମ୍ରାନ ଖାନ ଆନ୍ଦୋଳନ’ ଆରମ୍ଭ ହେବାର ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ ଆସିଛି ।
ପାକିସ୍ତାନ ତେହେରିକ୍-ଏ-ଇନସାଫ୍ ଫୈସଲାବାଦ ଆତଙ୍କବାଦ ନିରୋଧୀ କୋର୍ଟ (ATC)ର ନିଷ୍ପତ୍ତିକୁ କଡ଼ା ନିନ୍ଦା କରିଛି । ଇମ୍ରାନ ଖାନଙ୍କ ଦଳ ଏହି ରାୟକୁ ସାଂସଦମାନଙ୍କୁ ସଂସଦରୁ ଅଯୋଗ୍ୟ ଘୋଷଣା କରିବା ଏବଂ ଦଳକୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବାରୁ ରୋକିବା ପାଇଁ ଏକ ଷଡ଼ଯନ୍ତ୍ରର ଅଂଶ ବୋଲି କହିଛି । କୋର୍ଟ ନ୍ୟାସନାଲ ଆସେମ୍ବଲିର ବିରୋଧୀ ଦଳ ନେତା ଓମାର ଆୟୁବ, ସିନେଟରେ ବିରୋଧୀ ଦଳ ନେତା ଶିବଲି ଫରାଜ, ପିଟିଆଇର ପ୍ରମୁଖ ନେତା ଜର୍ତାଜ ଗୁଲ ଏବଂ ସାହିବଜାଦା ହମିଦ ରଜାଙ୍କୁ ପ୍ରତ୍ୟେକଙ୍କୁ ୧୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି ।
ଫୈସଲାବାଦର ଆଇଏସଆଇ କୋଠା ଉପରେ ଆକ୍ରମଣ ମାମଲାରେ କୋର୍ଟ ଗୁରୁବାର ୧୮୫ ଅଭିଯୁକ୍ତଙ୍କ ମଧ୍ୟରୁ ୧୦୮ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଏବଂ ବାକି ୭୭ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଫୈସଲାବାଦର ଏକ ପୁଲିସ ଷ୍ଟେସନ ଉପରେ ଆକ୍ରମଣ ସହ ଜଡିତ ମାମଲାରେ ୫୮ ଅଭିଯୁକ୍ତଙ୍କୁ ୧୦ ବର୍ଷ ଲେଖାଏଁ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଦୋଷୀମାନଙ୍କ ମଧ୍ୟରେ ନ୍ୟାସନାଲ ଆସେମ୍ବଲିର ୬ ଜଣ ସଦସ୍ୟ, ପଞ୍ଜାବ ବିଧାନସଭାର ଜଣେ ସଦସ୍ୟ ଏବଂ ଜଣେ ସାଂସଦ ଅନ୍ତର୍ଭୁକ୍ତ । ମେ’ ୯ ମାମଲାରେ ଏପର୍ଯ୍ୟନ୍ତ ଇମ୍ରାନ ଖାନଙ୍କ ଦଳର ୧୪ ଜଣ ସାଂସଦଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ପଦରୁ ଅଯୋଗ୍ୟ ଘୋଷଣା କରାଯାଇଛି ।
ଦଳର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ଗୌହର ଅଲି କହିଛନ୍ତି ଯେ, ପାକିସ୍ତାନ ତେହେରିକ୍-ଏ-ଇନସାଫ୍ ଏହି ନିଷ୍ପତ୍ତିକୁ ଲାହୋର ହାଇକୋର୍ଟରେ ଚ୍ୟାଲେଞ୍ଜ କରିବ। ସେପଟେ ଇମ୍ରାନ ଖାନ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ଜେନେରାଲ ସେନାକୁ ଅପମାନିତ କରୁଛନ୍ତି ଏବଂ କ୍ଷମତା ଉପରେ ନିଜର ଦଖଲ ବଜାୟ ରଖିବା ପାଇଁ ଜାତୀୟ ସ୍ୱାର୍ଥକୁ ବଳିଦାନ ଦେଉଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟରେ କହିଥିଲେ, ‘ଦେଶ ମୁନିରଙ୍କ ଆଇନ ଅନୁସାରେ ଚାଲିଛି ଏବଂ ISI ତାଙ୍କୁ ସୁରକ୍ଷା ଦେଉଛି। ସେ କ୍ଷମତା ଉପରେ ନିଜର ଦଖଲ ବଜାୟ ରଖିବା ପାଇଁ ଜାତୀୟ ସ୍ୱାର୍ଥକୁ ବଳି ଦେବାକୁ ପ୍ରସ୍ତୁତ!


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page