By – SUBHASMITA Oct 23 2025
ଭୁବନେଶ୍ୱର: ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି — ଏବେ ଆଉ ମିଳିବ ନାହିଁ ସିଧା ପ୍ରୋମୋସନ୍! ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଏବେ ହେବ ପାସ୍ ଓ ଫେଲ୍ ପରୀକ୍ଷା ପ୍ରଣାଳୀ।
ଗଣଶିକ୍ଷା ବିଭାଗ ଓ ବିଦ୍ୟାଳୟ ବିଭାଗ ପକ୍ଷରୁ ଏହି ନୂତନ ନିୟମ ଜାରି ହୋଇଛି। ଏହାଅନୁଯାୟୀ ଏବେ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା ଜିଲ୍ଲାସ୍ତରରେ ପ୍ରସ୍ତୁତ ହୋଇଥିବା ସାଧାରଣ ପ୍ରଶ୍ନପତ୍ର ଉପରେ ହେବ। ଫେବ୍ରୁଆରିରେ ପରୀକ୍ଷା ହେବ ଓ ମାର୍ଚ୍ଚ ଶେଷ ସପ୍ତାହରେ ଫଳାଫଳ ଘୋଷଣା କରାଯିବ।
ପଞ୍ଚମ ଶ୍ରେଣୀ ପାଇଁ ୫୦ ମାର୍କରେ — ୧୦ ମାର୍କ ମୌଖିକ ଓ ୪୦ ମାର୍କ ଲିଖିତ ପରୀକ୍ଷା,
ଅଷ୍ଟମ ଶ୍ରେଣୀ ପାଇଁ ୫୦ ମାର୍କର ଲିଖିତ ପରୀକ୍ଷା ହେବ।
ମୋଟ ମାର୍କର ୩୦% ପାଇଲେ ଛାତ୍ରଛାତ୍ରୀ ପାସ୍ କରିପାରିବେ। ଯେଉଁମାନେ ଫେଲ୍ କରିବେ ସେମାନଙ୍କ ପାଇଁ ସପ୍ଲିମେଣ୍ଟାରି ପରୀକ୍ଷା ଓ ତା’ପୂର୍ବରୁ ରେମେଡିଆଲ୍ ଶିକ୍ଷାଣ ବ୍ୟବସ୍ଥା ରହିବ।
ଏହି ପ୍ରଣାଳୀ ନିୟମିତ ପଢ଼ାଶୁଣାକୁ ଉତ୍ସାହିତ କରିବା ଓ ଛାତ୍ରଛାତ୍ରୀଙ୍କ ଦକ୍ଷତା ମାପିବା ପାଇଁ ଆଣାଯାଇଛି ବୋଲି ବିଭାଗ ସୂତ୍ର କହିଛି।
Socialtalknews
