ନବରାତ୍ରରେ ତିନିଟି ଲଘୁଚାପ, ଦଶହରାରେ ପ୍ରବଳ ବର୍ଷାର ଆଶଙ୍କା

By -SUBHASMITA ସେପ୍ଟେମ୍ବର 26 2025
ଓଡ଼ିଶାରେ ନବରାତ୍ର ସମୟରେ ବର୍ଷାର ସ୍ଥିତି ଆହୁରି ଗମ୍ଭୀର ହେବାକୁ ଯାଉଛି । ବର୍ତ୍ତମାନ ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ସହିତ ଆଉ ଦୁଇଟି ନୂଆ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି
ଆବହାବିଭାଗ ସୂଚନା ଅନୁସାରେ, ସେପ୍ଟେମ୍ବର ୨୫ରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଗୋଟିଏ ନୂଆ ଲଘୁଚାପ ଗଠିତ ହେବ, ଯେଉଁଥିରେ ସେପ୍ଟେମ୍ବର ୩୦ରେ ଆଉ ଗୋଟିଏ ଘୂର୍ଣ୍ଣିବଳୟ ଦେଖାଦେବାର ଆଶଙ୍କା ରହିଛି । ଯଦି ଏହା ଲଘୁଚାପରେ ପରିଣତ ହୁଏ, ତେବେ ଅକ୍ଟୋବର ୧ରେ ନବମୀ ଓ ଦଶମୀ ଦିନ ପ୍ରବଳ ବର୍ଷାରେ ଭିଜିବ ସାରା ଓଡ଼ିଶା ।
ବର୍ତ୍ତମାନର ଲଘୁଚାପ ପ୍ରଭାବରେ ମାଲକାନଗିରି, କୋରାପୁଟ, କେଉଁଝର, ମୟୁରଭଞ୍ଜ ଓ ସୁନ୍ଦରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, ଗଞ୍ଜାମ, ଗଜପତି, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ସୋନପୁର ଓ ବୌଦ୍ଧ ସହିତ ୧୫ରୁ ଅଧିକ ଜିଲ୍ଲା ପାଇଁ ୟେଲୋ ୱାର୍ଣିଂ ଘୋଷଣା ହୋଇଛି ।
ଲଗାତାର ବର୍ଷାରେ ମାଲକାନଗିରି ବଣ୍ଡାଘାଟି ଓ କଳିଙ୍ଗା ଘାଟିରେ ଭୂସ୍ଖଳନ ହେବାରୁ ଯାତାୟାତ ପୂରାପୂରି ଠପ୍‌ ହୋଇଯାଇଛି । ସେହିପରି, ସମୁଦ୍ରରେ ପବନର ବେଗ ୪୦–୫୦ କିମି, ଝଟକା ପବନ ୬୦ କିମି ପର୍ଯ୍ୟନ୍ତ ବଢ଼ିବାର ଆଶଙ୍କା ରହିଛି । ଏହି କାରଣରୁ ଆସନ୍ତା ୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।

Socialtalknews

Leave a Reply

Your email address will not be published. Required fields are marked *

You cannot copy content of this page