ଅପାରଗ ବାବୁଙ୍କ ତଥ୍ୟ ମାଗିଲେ ସରକାର । କେଉଁ ବିଭାଗରେ କେତେ ଅପାରଗ ବାବୁ ଅଛନ୍ତି, ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି ଏହାର ଟିକନିକ ତଥ୍ୟ ମାଗିଛନ୍ତି ରାଜ୍ୟ ସରକାର । ଏହାକୁ ନେଇ ସବୁ ବିଭାଗକୁ ରିପୋର୍ଟ ଦେବାକୁ କହିଛନ୍ତି, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । କେମିତି ଚାଲିଛି କାମ, ବୈଠକରେ ହୋଇଥିବା ନିଷ୍ପତ୍ତିକୁ ସଠିକ୍ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ, ଏନେଇ ସଚିବଙ୍କୁ ତଥ୍ୟ ମାଗିଲେ ମୁଖ୍ୟ ଶାସନ ସଚିବ । ମନୋଜ ଆହୁଜାଙ୍କ ନିର୍ଦ୍ଦେଶରେ ଓଏସଡି କଲ୍ୟାଣ କୁମାପ ରଥ ସମସ୍ତ ବିଭାଗକୁ ଚିଠି ଲେଖିଛନ୍ତି । ଏଥିରେ ୧୨ଟି ବିଷୟ ଉପରେ ସ୍ଥିତାବସ୍ଥାର ତଥ୍ୟ ମାଗିଛନ୍ତି ମୁଖ୍ୟ ଶାସନ ସଚିବ । ସବୁଠାରୁ ବଡ଼ କଥା ହେଉଛି, ଅଯୋଗ୍ୟ ବାବୁଙ୍କୁ ନେଇ ପ୍ରମାଣ ମିଳିଲେ ସେମାନଙ୍କୁ ଚାକିରିରୁ ବିଦା କରିବାକୁ ନିଷ୍ପତ୍ତି ହୋଇଛି ।
ଚିଠିରେ ଦର୍ଶାଯାଇଛି ଯେ ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟଶୈଳୀର ଟିକିନିଖି ପରୀକ୍ଷା ହେବ । ସରକାର ନିର୍ଦ୍ଦେଶରେ କାମ କରୁ ନଥିବା ବାବୁଙ୍କୁ ଅପାରଗ ବିବେଚିତ କରାଯିବ ସହ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବ । ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ସାମ୍ନା କରୁଥିବା ବାବୁଙ୍କ ନାଁ ପଦୋନ୍ନତି ତାଲିକାରେ ରହିବ ନାହିଁ । ପଦୋନ୍ନତି ପାଇବା ଯୋଗ୍ୟ ଥିଲେ ସିଲ୍ଡ ଲଫାପାରେ ରଖାଯିବ । ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଚାକିରିଆଙ୍କୁ ଅବସର ଦିନ ପୂର୍ଣ୍ଣାଙ୍ଗ ପେନ୍ସେନ୍ ଦେବାକୁ ହୋଇଥିଲା ନିଷ୍ପତ୍ତି । କେତେଜଣଙ୍କୁ ବାସ୍ତବରେ ପେନ୍ସନ୍ ପ୍ରମାଣପତ୍ର ମିଳିଛି ନିର୍ଦ୍ଧିଷ୍ଟ ଫର୍ମାଟରେ ଦେବାକୁ ନିର୍ଦ୍ଦେଶ । ବିଭାଗୀୟ ସଚିବ ଓ ବରିଷ୍ଠ ଅଧିକାରୀଙ୍କୁ କ୍ଷେତ୍ର ପରିଦର୍ଶନର ନିର୍ଦ୍ଦେଶ ଦେଇଥିଲେ ସରକାର । କେଉଁ ଅଧିକାରୀ କେବେ, କେଉଁ ସ୍ଥାନକୁ ଗସ୍ତ କରିଛନ୍ତି ତଥ୍ୟ ରଖିବାକୁ ନିର୍ଦ୍ଦେଶ । ତୃଣମୂଳସ୍ତରରେ ସରକାରଙ୍କ ଯୋଜନା କେତେଦୂର କାର୍ଯ୍ୟକାରୀ ହୋଇଛି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ହୋଇଛି । ଅଗଷ୍ଟ ୭ ତାରିଖ ସୁଦ୍ଧା ସମସ୍ତ ତଥ୍ୟ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି !

ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ଆଦର୍ଶ ବିଦ୍ୟାଳୟ :
ବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି ।