ଚିର ନିଦ୍ରା ରେ ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ୍ :

Talk Always Truth

ନୂଆଦିଲ୍ଲୀ: ପରଲୋକରେ ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ୍। ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ଆଜି ଦିନ ପ୍ରାୟ ୧ଟା ସମୟରେ ତାଙ୍କର ଦେହାନ୍ତ ହୋଇଥିବା ଜଣାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ନୂଆଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସେଠାରେ ସେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଥିବା ସାମ୍ନାକୁ ଆସିଛି।
ସୂଚନା ମୁତାବକ, ସେ ଦୀର୍ଘ ଦିନ ଧରି କିଡନୀ ରୋଗରେ ପୀଡିତ ଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମେ’ ୧୧ ତାରିଖରେ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୀର୍ଘ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଆଜି ସେ ହାରିଯାଇଛନ୍ତି।
ଉଲ୍ଲେଖଯୋଗ୍ୟ, ସତ୍ୟପାଲ ମାଲିକ ଅଗଷ୍ଟ ୨୦୧୮ରୁ ଅକ୍ଟୋବର ୨୦୧୯ପର୍ଯ୍ୟନ୍ତ ଜମ୍ମୁ ଏବଂ କାଶ୍ମୀର ରାଜ୍ୟର ଶେଷ ରାଜ୍ୟପାଳ ଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ୫ଅଗଷ୍ଟ, ୨୦୧୯ରେ ଧାରା ୩୭୦ରଦ୍ଦ କରାଯାଇଥିଲା। ଏହା ସହ ଜମ୍ମୁ ଓ କଶ୍ମୀରକୁ ମିଳିଥିବା ସ୍ୱତନ୍ତ୍ର ମାନ୍ୟତା ଉଚ୍ଛେଦ କରାଯାଇ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ – ଜମ୍ମୁ ଓ କାଶ୍ମୀର ଏବଂ ଲଦାଖରେ ବିଭକ୍ତ କରାଯାଇଥିଲା। ସଂଯୋଗବଶତଃ, ଆଜି ଏହି ନିଷ୍ପତ୍ତିର ଷଷ୍ଠ ବାର୍ଷିକୀ ଏବଂ ଏହି ଦିନ ସତ୍ୟପାଲ ମଲିକ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ଜମ୍ମୁ ଓ କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯିବା ପରେ ସତ୍ୟପାଲ ମଲିକଙ୍କୁ ଗୋଆର ୧୮ତମ ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଥିଲା। ସେ ଅକ୍ଟୋବର ୨୦୨୨ପର୍ଯ୍ୟନ୍ତ ମେଘାଳୟର ୨୧ତମ ରାଜ୍ୟପାଳ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।
ସତ୍ୟପାଲ ମଲିକ ୨୪ ଜୁଲାଇ ୧୯୪୬ରେ ଉତ୍ତରପ୍ରଦେଶର ବାଗପତ ଜିଲ୍ଲାର ହିସାବଦା ଗାଁରେ ଏକ ଜାଟ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ମିରଟ ବିଶ୍ୱବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ଏବଂ ଏଲଏଲବି ଡିଗ୍ରୀ ହାସଲ କରିଥିଲେ। ୧୯୬୮-୬୯ ମସିହାରେ, ସେ ମିରଟ ବିଶ୍ୱବିଦ୍ୟାଳୟର ଛାତ୍ର ସଂଘ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ, ଯାହା ତାଙ୍କ ରାଜନୈତିକ ଜୀବନର ଆରମ୍ଭ ଥିଲା। ରାଜନେତା ଭାବରେ ତାଙ୍କର ପ୍ରଥମ ପ୍ରମୁଖ କାର୍ଯ୍ୟକାଳ ୧୯୭୪-୭୭ ମଧ୍ୟରେ ଉତ୍ତରପ୍ରଦେଶ ବିଧାନସଭାର ସଦସ୍ୟ ଭାବରେ ଥିଲା। ସେ ୧୯୮୦ ରୁ ୧୯୮୬ ଏବଂ ୧୯୮୬-୮୯ ପର୍ଯ୍ୟନ୍ତ ରାଜ୍ୟସଭାରେ ଉତ୍ତରପ୍ରଦେଶର ପ୍ରତିନିଧିତ୍ୱ କରିଥିଲେ। ଏହା ପରେ ସେ ୧୯୮୯ ରୁ ୧୯୯୧ ପର୍ଯ୍ୟନ୍ତ ଜନତା ଦଳର ସଦସ୍ୟ ଭାବରେ ଅଲିଗଡ଼ରୁ ଲୋକସଭାର ସଦସ୍ୟ ଥିଲେ !


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page