ପୁରୀ : ଖୁବ୍ଶୀଘ୍ର ଶ୍ରୀମନ୍ଦିର ଆନନ୍ଦ ବଜାରରେ ଅନ୍ନ, ବ୍ୟଞ୍ଜନ ସହ ଶୁଖିଲି ମହାପ୍ରସାଦର ଦର ନିର୍ଦ୍ଧାରଣ ରେଟ୍ ଚାଟ୍ ଲାଗିବ । ମଙ୍ଗଳବାର ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟରେ ଆନନ୍ଦ ବଜାର ଶୃଙ୍ଖଳା କମିଟି ବୈଠକ ପରେ ଏନେଇ ସୂଚନା ଦେଇଥିଲେ ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢ଼ୀ । ଶ୍ରୀମନ୍ଦିର ଆନନ୍ଦ ବଜାରରେ ବିଶୃଙ୍ଖଳା ବଢ଼ିଥିବାରୁ ଏହାକୁ ଦୃଷ୍ଟିରେ ରଖି ଏହି ଜରୁରୀ ବୈଠକ ହୋଇଥିଲା।
ଡଃ ପାଢ଼ୀ ଗଣମାଧ୍ୟମକୁ କହିଥିଲେ, ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି ଓ ବଣ୍ଟନ ବ୍ୟବସ୍ଥାରେ ଆବଶ୍ୟକ ଶୃଙ୍ଖଳା ଶୀଘ୍ର ଆସିବ । ଅବଢ଼ା ଓ ଶୁଖିଲି ମହାପ୍ରସାଦର ରେଟ୍ ଚାଟ୍ ଲାଗିବ । ଶୁଖିଲି ଓ ଅନ୍ନ ମହାପ୍ରସାଦ ଭିନ୍ନ ସ୍ଥାନରେ ବିକ୍ରି ହେବ । ଦୀପ ଓ ମହାପ୍ରସାଦରେ ଓମ୍ଫେଡ୍ ବ୍ୟବହାର ବାଧ୍ୟତାମୂଳକ ହୋଇଛି । ବ୍ୟତିକ୍ରମ କଲେ କାର୍ଯ୍ୟାନୁଷ୍ଠାନ କଡ଼ାକଡ଼ି କରାଯିବାକୁ ବୈଠକରେ ଚେତାବନୀ ଦିଆଯାଇଛି ।
ଏନେଇ ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ସୁଆର କହିଛନ୍ତି, ପୂର୍ବତନ ଜିଲ୍ଲାପାଳଙ୍କ ସମୟରେ ଆନନ୍ଦ ବଜାର ଶୃଙ୍ଖଳା ୮୦ ଭାଗ ଆସିଥିଲା । ବିଶୃଙ୍ଖଳା ସ୍ଥିତି ଦେଖି ଜରୁରୀ ବୈଠକ ପୁଣି ବସିଥିଲା । ନୀତିକାନ୍ତି ଶୃଙ୍ଖଳା କରିବାକୁ ପ୍ରଥମେ ଆଲୋଚନା ହୋଇଥିଲା । ଶୀଘ୍ର ମହାପ୍ରସାଦ ବାହାରିଲେ ଶ୍ରଦ୍ଧାଳୁମାନେ ଆନନ୍ଦରେ ଖାଇ ଚାଲି ଯିବେ। ଶ୍ରୀମନ୍ଦିରରେ ଭିଡ଼ ବେଶୀ ସମୟ ରହିବନି । ସେହିପରି ଶୁଖିଲି ଓ ଅବଢ଼ା ସ୍ୱତନ୍ତ୍ର ସ୍ଥାନରେ ବିକ୍ରି ବ୍ୟବସ୍ଥା ହୋଇଛି । ଆନନ୍ଦ ବଜାର ଖୋଲା ସ୍ଥାନରେ ବସିଥିବା ଖଜା ଦୋକାନୀଙ୍କୁ ସ୍ୱତନ୍ତ୍ର ଦୋକାନ ଭିତରକୁ ସ୍ଥାନାନ୍ତର କରାଯିବ । ପ୍ରତିଦିନ ଶ୍ରୀମନ୍ଦିରରେ ମହାପ୍ରସାଦ ରନ୍ଧିବାକୁ ଆବଶ୍ୟକ ୩୫ କ୍ୱିଣ୍ଟାଲ କାଠ ଯୋଗାଇ ଦେବାକୁ ଦାବି କରାଯାଇଥିଲା ।
ସେହିପରି ବୈଠକରେ ଜୈବିକ ଚାଉଳ ନେଇ ଆଲୋଚନା ହୋଇଥିଲା । ଚଳିତ ବର୍ଷ ରଥଯାତ୍ରା ବେଳେ ୨୧ କ୍ୱିଣ୍ଟାଲ ଜୈବିକ ଚାଉଳ ପରୀକ୍ଷାମୂଳକ ଭାବେ ଆଡ଼ପ ଘରେ ରନ୍ଧା ଯାଇଥିଲା । ୨ ଦିନ ତଳେ ମଧ୍ୟ ଏହି ଚାଉଳ ରାନ୍ଧି ପରୀକ୍ଷା କରାଯାଇଥିଲା । ନୂଆ ଚାଉଳରେ ମହାପ୍ରସାଦ ରାନ୍ଧିଲେ ଏହା ନରମା ହୋଇଯାଉଛି । ତେଣୁ ପୁରୁଣା ଜୈବିକ ଚାଉଳ ଦେଲେ କୋଠା ଭୋଗ ସହ ବରାଦି ଭୋଗ ହେବ । ସେହିପରି ମହାପ୍ରସାଦ ବିକ୍ରିରେ ସହାୟତା କରୁଥିବା ସହାୟକଙ୍କ ନିମନ୍ତେ ଡ୍ରେସ୍ କୋର୍ଡ ଓ ପରିଚୟପତ୍ର ହେବ । ବିଶୃଙ୍ଖଳା କଲେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ବୈଠକରେ ଆଲୋଚନା ହୋଇଛି ।

ପୁଣି ବଢ଼ିଲା ସୁନା ରେଟ,
୨୪ କ୍ୟାରେଟ କିଣିଲେ ଦେବାକୁ ପଡ଼ିବ !ଆଜି ସକାଳୁ ସୁନା ରେଟ ପୁଣି ଉପରେ କାରବାର କରୁଛି । ସୁନା ଦରରେ ଆଜି ସାମାନ୍ୟ ବୃଦ୍ଧି ଘଟିଛି