By – SUBHASMITA ସେପ୍ଟେମ୍ବର 16 2025
କେନ୍ଦ୍ରାପଡ଼ା ଜିଲ୍ଲାରେ ଆଳି ବ୍ଲକରେ ବନ୍ୟା ପରିସ୍ଥିତି ଭୟଙ୍କର ଆକାର ନେଇଛି । ଖରସ୍ରୋତା, କାଣି ଓ ବ୍ରାହ୍ମଣୀ ନଦୀରେ ବଢ଼ିଥିବା ପାଣିରେ ଚାଷୀଙ୍କ ବର୍ଷର ପରିଶ୍ରମ ଧୋଇଗଲା । ଗୋବିନ୍ଦପୁର, ପେତପଡ଼ା, ଜୁଆଣିଆ, ଡିମିରିପାଳ, ଅର୍ଗଳ, ସଂସିଧା, କେତୁଆପାଳ, ଦେ ସାହି, ଏରଡଙ୍ଗ ଓ ପାଳିମି ସହ ୧୦ଟି ପଞ୍ଚାୟତର ଶତାଧିକ ଚାଷୀ ବିପୁଳ କ୍ଷତିରେ ପଡ଼ିଛନ୍ତି ।
ଧାର କରି କିମ୍ବା ସୋସାଇଟିରୁ ଋଣ ନେଇ ଚାଷ କରିଥିବା ଚାଷୀମାନଙ୍କ ସ୍ୱପ୍ନ ବନ୍ୟା ପାଣିରେ ଭାସିଗଲା । “ତିନିଥର ତଳି ପକାଇଥିଲୁ, ସବୁ ପଚିଗଲା । ଏବେ ସରକାରୀ ସହାୟତା ନମିଳିଲେ ଚାଷ କରିପାରିବୁନି” — କହିଛନ୍ତି ଏକ କ୍ଷତିଗ୍ରସ୍ତ ଚାଷୀ ।
ବିତିତ ୪ଥର ବନ୍ୟା ଆଘାତ ପରେ ସ୍ଥାନୀୟ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି । ଚାଷକୁ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ଗ୍ରାମୀଣମାନେ ବର୍ତ୍ତମାନ ମୁଣ୍ଡରେ ହାତ ଦେଇ ବସିଛନ୍ତି । ସରକାର ଯଦି ଋଣ ଛାଡ଼ ଓ ପ୍ରୟୋଜନୀୟ ସହାୟତା ନଦିଏ, ଆଗାମୀଦିନରେ ଚାଷୀମାନଙ୍କ ଜୀବନଜୀବିକା ଗୁରୁତର ସଙ୍କଟରେ ପଡ଼ିବ ବୋଲି ଆଶଙ୍କା କରାଯାଉଛି ।
Socialtalknews