ଆମେରିକା ରାଷ୍ଟ୍ରପତି ବିଭିନ୍ନ ଦେଶରେ ଯୁଦ୍ଧ ବନ୍ଦ ପାଇଁ ପ୍ରୟାସ କରୁଥିବା ଦାବି । ଏଥିପାଇଁ ଭାରତ-ପାକ୍ ଅସ୍ତ୍ରବିରତିର ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି ଟ୍ରମ୍ପ ।
ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ କରିଥିବା ଦାବି କରିଛନ୍ତି । ଏଥର ସେ କହିଛନ୍ତି ଯେ ମୁଁ ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ କରିଦେଇଛି, କିନ୍ତୁ ମୁଁ ନୋବେଲ ଶାନ୍ତି ପୁରସ୍କାର ପାଇବି ନାହିଁ । ଟ୍ରମ୍ପ ଶୁକ୍ରବାର କହିଛନ୍ତି ଯେ ସେ ଯେତେ ଅନ୍ତର୍ଜାତୀୟ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ କରିବାକୁ ଚେଷ୍ଟା କଲେ ମଧ୍ୟ, ତାଙ୍କୁ ନୋବେଲ ପୁରସ୍କାର ମିଳିବ ନାହିଁ ।

ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କ ନୋବେଲ ମୋହ । ଶାନ୍ତି ପାଇଁ ତାଙ୍କୁ ନୋବେଲ ପୁରସ୍କାର ଦେବାକୁ ସେ ବିଭିନ୍ନ ସମୟରେ ଚାପ ପକାଇ ଆସୁଥିଲେ । ଏବେ କିନ୍ତୁ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିବନି ବୋଲି ସେ କଟାକ୍ଷ କରିଛନ୍ତି । ଭାରତ ଅପରେସନ ସିନ୍ଦୂର ଜରିଆରେ ପହଲଗାମ୍ ଆତଙ୍କୀ ଆକ୍ରମଣର ଜବାବ ଦେଇଥିଲା । ପାକିସ୍ତାନର ଅନୁରୋଧରେ ଡିଜିଏମଓ ସ୍ତରୀୟ ଆଲୋଚନା ହୋଇ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା ।

ଏଥିପାଇଁ କିନ୍ତୁ ଟ୍ରମ୍ପ ବାରମ୍ବାର ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି । ଏପରିକି ଅସ୍ତ୍ରବିରତି ପାଇଁ ସେ ମଧ୍ୟସ୍ଥତା କରିଥିବା ଦାବି କରି ଆସୁଛନ୍ତି । ସର୍ବିଆ- କସୋଭୋ, ଇଜିପ୍ଟ- ଇଥିଓପିଆ ଯୁଦ୍ଧ ତାଙ୍କ ଉଦ୍ୟମରେ ଶେଷ ହୋଇଥିବା ଟ୍ରମ୍ପ ଦାବି କରିଛନ୍ତି । ଏଥିସହ ରୁଷିଆ- ୟୁକ୍ରେନ୍ ଓ ଇସ୍ରାଏଲ -ଇରାନ ଯୁଦ୍ଧର ପରିସମାପ୍ତି ପାଇଁ ସେ ଚେଷ୍ଟା କରୁଥିବା ଦାବି କରିଛନ୍ତି ।