ଆଜିବି ଅଭାବରେ ମାଟିଘର ମାଟିରେ ମିଶି ୬ ମାସ ବିତିଲା, ଜଙ୍ଗଲରେ ଭାଡ଼ି କରି ମୁଣ୍ଡ ଗୁଞ୍ଜିଛନ୍ତି ଜାନୀଙ୍କ ପରିବାର!ଆଡ଼େଇ ହୋଇ ରହିଛି ପ୍ରଶାସନ
କାକିରିଗୁମା, ତୁହାକୁ ତୁହା ବର୍ଷା । ସନ୍ତସନ୍ତିଆ ପରିବେଶ । ପାହାଡ଼ ଓ ଜଙ୍ଗଲ ଭିତରେ ବାଜି ଲାଗିଛି ସେମାନଙ୍କ ଜୀବନ । ପାଦେପାଦେ ରହିଛି ବିପଦ । ଗୋଟିଏ ପଟେ ହିଂସ୍ର ଜନ୍ତୁ, ଅନ୍ୟପଟେ ସରୀସୃପଙ୍କ ଭୟ । ଏଭଳି ନିଛାଟିଆ ଜଙ୍ଗଲିଆ ପରିବେଶକୁ ସେମାନେ ଆପଣାଇବାକୁ ବାଧ୍ୟ ହୋଇଛନ୍ତି । କୁକୁଡ଼ା ରହିଲା ଭଳି ଛୋଟିଆ ଭାଡ଼ିଟିଏ ତିଆରି କରି ତା’ରି ତଳେ ମୁଣ୍ଡ ଗୁଞ୍ଜିଛନ୍ତି ୩ ଛୁଆଙ୍କ ସହ ୫ ପ୍ରାଣୀ କୁଟୁମ୍ବ । ଯିବେ ତ କୁଆଡ଼େ ଯିବେ । ନିଜ ମାଟିଘର ଖଣ୍ଡିକ ମାଟିରେ ମିଶିଯିବା ପରେ ନିହାତି ଗରିବ ଆଦିବାସୀ ପରିବାର ପାଖରେ ବିକଳ୍ପ ନାହିଁ । ସବୁ ପ୍ରତିକୁଳ ପରିସ୍ଥିତିକୁ ସାମ୍ନା କରି ସେମାନେ କେବଳ ୧୦ କେଜି ଚାଉଳରେ ବଞ୍ଚି ଆସୁଛନ୍ତି ଏକ ବିଡ଼ମ୍ବିତ ଜୀବନ । ୩ ପିଲାଙ୍କ ପାଠପଢ଼ାରେ ବି ଡୋରି ବନ୍ଧାଯାଇଛି । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ଭିତରଗଡ଼ ପଞ୍ଚାୟତରୁ ୩ କିମି ଦୂର ଏକ ଜଙ୍ଗଲରେ । ଦୟନୀୟ ଜୀବନ ଜିଉଁଥିବା ଏହି ପରିବାରର ମୁଖିଆ ହେଉଛନ୍ତି ବାରିଗୁଡ଼ାର ବଲ୍ଲଭ ଜାନୀ ।
ମିଳିଥିବା ସୂଚନା ଅନୁଯାୟୀ, ସ୍ତ୍ରୀ ସେବତୀ ଜାନୀ ଓ ତିନି ପୁଅଙ୍କୁ ନେଇ ବଲ୍ଲଭଙ୍କ ସଂସାର । ନିଜର ବୋଲି କେବଳ ମାଟିଘର ଖଣ୍ଡିଏ ଥିଲା । ସ୍ୱାମୀ-ସ୍ତ୍ରୀ କୁଲିଭୁତି କରି ବହୁ କଷ୍ଟରେ ପରିବାର ଚଳାଉଥିଲେ । ୬ ମାସ ତଳେ ହଠାତ୍ ଝଡ଼ବର୍ଷାରେ ସେମାନଙ୍କ ମାଟିଘର ମାଟିରେ ମିଶି ଯାଇଥିଲା । ଏହାପରେ ସେମାନଙ୍କୁ କେହି ଆଶ୍ରୟ ଦେଲେ ନାହିଁ । ସ୍ଥାନୀୟ ସରପଞ୍ଚ କିମ୍ବା ଆର୍ଆଇ ଘଟଣାସ୍ଥଳକୁ ଗଲେନି କି ଦୁଃଖ ବୁଝିଲେନି । ଆଡ଼େଇ ହୋଇ ରହିଲା ପ୍ରଶାସନିକ କଳ । ଶେଷରେ ଅନ୍ୟ ଉପାୟ ନ ପାଇ ବଲ୍ଲଭ ଘରଠାରୁ ୩ କିମି ଦୂର ଏହି ଜଙ୍ଗଲରେ ଆଶ୍ରୟ ନେଇଛନ୍ତି । କେଇଖଣ୍ଡ ଛୋଟ ଛୋଟ କାଠବାଉଁଶ ପୋତି, ତା ଉପରେ ଚିରାଫଟା ପଲିଥିନ୍ ପକାଇ ଛୋଟିଆ ଭାଡ଼ିଟିଏ ତିଆରି କରିଛନ୍ତି । ଏଭଳି ଘରେ ୫ ପ୍ରାଣୀ ରହିବା କେତେ ସୁରକ୍ଷିତ ପ୍ରଶାସନ ତାହା ବୁଝିବା ଦରକାର ।
ବିଡ଼ମ୍ବନା, ଏପର୍ଯ୍ୟନ୍ତ ଏହି ଗରିବ ପରିବାର ପାଖରେ ସରକାରୀ ଅଧିକାରୀ କିମ୍ବା ଲୋକ ପ୍ରତିନିଧି କେହି ହେଲେ ପହଞ୍ଚି ନାହାନ୍ତି । ଆଶାଦିଦି ସୁଲା ମୁଦୁଲିଙ୍କଠାରୁ ସୂଚନା ପାଇବା ପରେ ଆମେ ପହଞ୍ଚିଥିଲୁ ଜଙ୍ଗଲରେ । ଗରିବଗୁରୁବାଙ୍କ ପାଇଁ ଆବାସ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି, ତାହାର ଚିତ୍ର ସାଉଁଟିଥିଲୁ । ପଚାରିବାରୁ ଜଣାପଡ଼ିଲା, ସରକାରୀ ସହାୟତା କହିଲେ ସ୍ୱାମୀ-ସ୍ତ୍ରୀଙ୍କୁ ମିଳୁଛି ମାତ୍ର ୧୦ କେଜି ଚାଉଳ । ପିଲାଙ୍କ ଭାଗରେ ତାହା ବି ଜୁଟିନି । ପିନ୍ଧିବା ଲାଗି ଭଲ କପଡ଼ା ଖଣ୍ଡେ ବି ନାହିଁ । ପନିପରିବା, ତେଲଲୁଣ ବି ସ୍ୱପ୍ନ ହୋଇଯାଇଛି ସେମାନଙ୍କ ପାଇଁ । ବଡ଼ପୁଅ ପାଖରେ ପ୍ୟାଣ୍ଟ୍ସାର୍ଟ ନ ଥିବାରୁ କେଉଁଠୁ ଏକ ଝିଅ ଡ୍ରେସ୍ ସଂଗ୍ରହ କରି ପିନ୍ଧୁଛି । କେବଳ ଡଙ୍ଗରରୁ ଯାହାକିଛି ମାଣ୍ଡିଆ ଅମଳ କରୁଛନ୍ତି, ସେତିକିରେ ପେଟ ପୂରାଉଛନ୍ତି । ଏ ସମ୍ପର୍କରେ ଆମେ ସରପଞ୍ଚ ଲଳିତା ଜାନୀଙ୍କୁ ପଚାରିବାରୁ କହିଛନ୍ତି, ଘଟଣା ସମ୍ପର୍କରେ ସେ ଅବଗତ ନ ଥିବା କହିଛନ୍ତି । ବିଡିଓ ଗୁରେଶ୍ୱର ଭୋଇଙ୍କ ମତାମତ ନେବା ଲାଗି ଉଦ୍ୟମ କରାଯାଇଥିଲେ ବି ତାହା ସମ୍ଭବ ହୋଇନି । ଦେଖାଯାଉ, ଜିଲ୍ଲା ପ୍ରଶାସନର କେବେ ନଜର ପଡ଼ୁଛି ଏହି ଗରିବ ପରିବାର ଉପରେ । କେବେ ସେମାନଙ୍କୁ ଏ ଦାରୁଣ ଦୁଃଖରୁ ମୁକ୍ତି ମିଳୁଛି ।

ବିମାନବନ୍ଦରରୁ ମିଳିଲା :
ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରୁ ପୁଣି ବିପୁଳ ପରିମାଣର ମାରିଜୁଆନା ଜବତ । ୮ କେଜିର ମାରିଜୁଆନା ଜବତ କଲା ଡାଇରେକ୍ଟର ଅଫ୍ ରେଭେନ୍ୟୁ ଇଣ୍ଟେଲିଜେନ୍ସ । ଯାହାର